ବିମାନରେ କ୍ରିକେଟିୟରଙ୍କୁ ଖାଇବାକୁ ଦିଆଗଲାନି

ବେଡିଂପତ୍ର ମଧ୍ୟ ହଜାଇଛି ମାଲେସିୟା ଏୟାରଲାଇନ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆ ଏବେ ବାଂଲାଦେଶ ଯାତ୍ରା କରିଛି । ସେଠାରେ ଟିମ୍‌ ଇଣ୍ଡିଆକୁ ବାଂଲାଦେଶ ଟିମ୍‌ ସହିତ ତିନୋଟି ଦିନିକିଆ ଓ ଦୁଇଟି ଟେଷ୍ଟ ଖେଳିବାର ଯୋଜନା ରହିଛି । ମାତ୍ର ବିମାନରେ ଯାତ୍ରା କରୁଥିବା ବେଳେ କ୍ରିକେଟିୟର ଦୀପକ ଚହର ପରିଚାରିକାଙ୍କ ଆଚରଣରେ କ୍ଷୋଭ ପ୍ରକାଶ କରିଛନ୍ତି । ଟ୍ୱିଟର ଆକାଉଂଟରେ ଚହର ଲେଖିଛନ୍ତି, ସେ ମାଲେସିୟା ଏୟାରଲାଇନ୍‌ସର ଯାତ୍ରୀ ସେବାରେ ଗଭୀର ମର୍ମାହତ ।

ଏୟାରଲାଇନ୍ସ ପ୍ରଥମେ ତାଙ୍କୁ କୌଣସି ସୂଚନା ନଦେଇ ନିର୍ଦ୍ଧାରିତ ବିମାନ ବଦଳାଇଛି । ତା’ ସହିତ ବାଣିଜ୍ୟ କ୍ଲାସରେ ତାଙ୍କୁ ଭୋଜନ ଦିଆଯାଇନି । ସବୁଠାରୁ ଦୁର୍ଭାଗ୍ୟର ବିଷୟ, ସଂପୃକ୍ତ ଏୟାରଲାଇନ୍ସ ଚହରଙ୍କର ବେଡିଂପତ୍ର ହଜାଇ ଦେଇଛି । ଡିସେମ୍ବର ୪ ତାରିଖରେ ଟିମ୍‌ ଇଣ୍ଡିଆ ବାଂଲା ବିପକ୍ଷରେ ପ୍ରଥମ ଦିନିକିଆ ଖେଳିବ । ସେଭଳି ଘଡ଼ିସନ୍ଧି ସମୟରେ ତାଙ୍କୁ ବେଡିଂପତ୍ର ପାଇଁ ବିମାନବନ୍ଦରରେ ୨୪ ଘଂଟା କାଳ ଅପେକ୍ଷା କରିବାକୁ ପଡିଛି । ଖେଳ ଅଭ୍ୟାସ ପାଇଁ ସମୟ ନ ମିଳିବାରୁ ଚହର ଚିନ୍ତିତ ଅଛନ୍ତି । ଚହରଙ୍କ ଅଭିଯୋଗକୁ ହାଲୁକା କରିବା ପାଇଁ ମାଲେସିୟା ଏୟାରଲାଇନ୍ସ ଚହରଙ୍କୁ କ୍ଷମା ପ୍ରାର୍ଥନା କରିଛି ।