ସାଂସଦଙ୍କ ପାଇଁ ମିଲେଟ୍ରେ ପ୍ରସ୍ତୁତ ସ୍ବତନ୍ତ୍ର ମଧ୍ୟାହ୍ନ ଭୋଜନ ଜରିଆରେ ପୋଷକ ଶସ୍ୟର ପ୍ରଚାରପ୍ରସାର ପାଇଁ ଏକ ପ୍ରମୁଖ ପଦକ୍ଷେପ
ଭାରତ ସମେତ ସମଗ୍ର ବିଶ୍ବରେ ମିଲେଟ୍ ବା ମୋଟା ଶସ୍ୟକୁ ପ୍ରମୁଖ ଖାଦ୍ୟ ଭାବେ ଗ୍ରହଣ….
ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତ ସରକାରଙ୍କ ପ୍ରସ୍ତାବକ୍ରମେ ୨୦୨୩ ବର୍ଷକୁ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବେ ପାଳନ କରିବାକୁ ମିଳିତ ଜାତିସଂଘ ପକ୍ଷରୁ ଘୋଷଣା କରାଯାଇଛି । ଭାରତ ସମେତ ସାରା ବିଶ୍ବରେ ଏହି ଦିବସ ପାଳନ କରାଯିବ । ଏ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ତୋମାର କହିଥିଲେ ଯେ, ଭାରତର ପ୍ରାଚୀନ ପୋଷକ ଶସ୍ୟକୁ ଖାଦ୍ୟ ପ୍ରଣାଳୀରେ ପୁଣିଥରେ ସାମିଲ କରିବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଆହ୍ବାନକ୍ରମେ ପ୍ରୟାସ ଆରମ୍ଭ ହୋଇଛି । ଏହା ଜନସାଧାରଣଙ୍କ ପୁଷ୍ଟିସାଧନ ଆବଶ୍ୟକତା ପୂରଣ କରିବା ସହିତ ଚାଷୀଙ୍କ ପାଇଁ ଲାଭଜନକ ସାବ୍ୟସ୍ତ ହେବ ।

ମିଲେଟ୍ ବର୍ଷ ପାଳନ ପୂର୍ବରୁ ସଂସଦ ଭବନ ପରିସରରେ ଏହି ସୁସ୍ବାଦୁ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଭାରତୀୟ ପୁଷ୍ଟିକର ଶସ୍ୟରେ ପ୍ରସ୍ତୁତ ଖାଦ୍ୟ ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ଓ ସାଂସଦମାନେ ଖାଇଥିଲେ । ଏଥିପାଇଁ ସଂସଦ ଭବନ ପରିସରକୁ ସୁସଜ୍ଜିତ କରାଯାଇଥିଲା। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ସମେତ ବିଭିନ୍ନ ଅଂଶୀଦାରମାନଙ୍କ ଦ୍ବାରା ଅନ୍ତର୍ଜାତୀୟ ମିଲେଟ୍ ବର୍ଷର ପ୍ରଚାର ନିମନ୍ତେ ଫଟୋ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ଏହାକୁ ପ୍ରଧାନମନ୍ତ୍ରୀ ଓ ଉପରାଷ୍ଟ୍ରପତି ପରିଦର୍ଶନ କରିଥିଲେ।
କର୍ଣ୍ଣାଟକ ଓ ରାଜସ୍ଥାନର ରୋଷେୟାମାନଙ୍କ ଦଳ ମିଲେଟ୍ରେ ପ୍ରସ୍ତୁତ ଭାରତୀୟ ବ୍ୟଞ୍ଜନ ପରଷି ଦେଇଥିଲେ । ନିକଟରେ ଇଟାଲୀର ରୋମ୍ ସ୍ଥିତ ମିଳିତ ଜାତିସଂଘ ଖାଦ୍ୟ ଓ କୃଷି ସଂଗଠନ (ଫାଓ) ମୁଖ୍ୟାଳୟ ଠାରେ ଅନ୍ତର୍ଜାତୀୟ ପୋଷକ ଶସ୍ୟ ଦିବସର ଶୁଭାରମ୍ଭ ସମାରୋହ ଆରମ୍ଭ ହୋଇଥିଲା।
ସୂଚନାଯୋଗ୍ୟ ଯେ ମିଲେଟ୍ ବା ମୋଟା ଶସ୍ୟ ହେଉଛି ଏକ ପ୍ରାଚୀନ ଶସ୍ୟ। ଏହା ଶୁଖିଲା ଜମିରେ ଚାଷ ହୋଇଥାଏ। ଏହା ପରିବେଶ ଅନୁକୂଳ, ଜଳବାୟୁ ସହନଶୀଳ ତଥା କମ୍ ପାଣି ଓ ଖତସାର, କୀଟନାଶକ ଆବଶ୍ୟକ କରିଥାଏ। ଭାରତରେ ଉତ୍ପାଦିତ ମିଲେଟ୍ ଏକ ପୋଷକ ଶସ୍ୟ ଭାବେ ଲୋକପ୍ରିୟତା ଅର୍ଜନ କରିଛି । ପ୍ରଥମେ ଏସିଆ ଓ ଆଫ୍ରିକାରେ ମିଲେଟ୍ ଚାଷ ଆରମ୍ଭ ହୋଇ ପରବର୍ତ୍ତୀ ସମୟରେ ସାରା ବିଶ୍ବକୁ ବ୍ୟାପି ଯାଇଥିଲା।
