ଆତ୍ମଘୋଷିତ ଭଗବାନ ଆଶାରାମ ବାପୁଙ୍କୁ ମିଳିଛି ଆଜୀବନ କାରାଦଣ୍ଡ । ଜଣେ ମହିଳା ଭକ୍ତଙ୍କୁ ଦୀର୍ଘ ୭ ବର୍ଷ ଧରି ଦୁଷ୍କର୍ମ କରିଥିବା ଅଭିଯୋଗରେ ଗାନ୍ଧୀନଗର ସେସନ୍ସ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । କୋର୍ଟଙ୍କ ରାୟରେ ବିଗତ ୧୦ ବର୍ଷ ଧରି ମାନସିକ ସନ୍ତାପ ଭିତରେ ବୁଡ଼ି ରହୁଥିବା ପରିବାର ଖୁସିରେ ଆତ୍ମହରା ହୋଇ ସାଧାରଣରେ ମିଠାଇ ବିତରଣ କରିଛନ୍ତି ।
ପୀଡ଼ିତ ପରିବାର ପ୍ରତିକ୍ରିୟାରେ କହିଛନ୍ତି, ‘ନିଜ ଉପରେ ସନ୍ଦେହ, ଭୟ, ଅନିଶ୍ଚିତତା, ଧମକ ଭିତରେ ୩୪୫୬ ଦିନ ଜୀବନ ବିତାଇବା ଆମ ପାଇଁ କଷ୍ଟଦାୟକ ଥିଲା । ଆଶାରାମଙ୍କ ଭଳି ଜଣେ ସାମାଜିକ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ବିରୋଧରେ ଲଢେ଼ଇ ଘୋଷଣା କରି ଆମକୁ ବହୁ ସମାଲୋଚନା ଶୁଣିବାକୁ ପଡ଼ିଛି । ପାଖପଡେ଼ାଶୀଙ୍କ ତିରସ୍କାର, ହାଟବଜାରରେ ଲୋକଙ୍କ କଟାକ୍ଷ ଆମକୁ ହତାଶ କରିଥିଲା । ଆଶାରାମଙ୍କ ପାଖରେ କ୍ଷମତା ଓ ଅଜସ୍ର ଟଙ୍କା ଥିଲା । ରାଜନୈତିକ ଓ ପ୍ରଶାସନିକ ମହଲରେ ବହୁ ଆଗଧାଡ଼ିର ନେତାମାନେ ଆଶାରାମଙ୍କୁ ଦଣ୍ଡବତ ପକାଉଥିଲେ । ପ୍ରତିଷ୍ଠିତ ଶିଳ୍ପପତି ଓ ବ୍ୟବସାୟୀମାନେ ସାଷ୍ଟାଙ୍ଗ ପ୍ରଣିପାତ କରୁଥିଲେ । ଅନ୍ଧ ସମର୍ଥକଙ୍କ ଗହଣରେ ରହି ଆଶାରାମ ନିଜକୁ ଭଗବାନ ବୋଲାଉଥିଲେ । ଏବେ ମଧ୍ୟ ବହୁ ସମର୍ଥକ ତାଙ୍କୁ ଭଗବାନ ମଣି ପୂଜା କରୁଛନ୍ତି ।
ଆଶାରାମଙ୍କର ବହୁ ଭକ୍ତ ମୋ ପରିବାରକୁ ଉଡ଼ାଇ ଦେବାକୁ ଧମକ ଦେଉଥିଲେ । ଯାବତୀୟ ଅପମାନ ସହିବା ପରେ ଭଗବାନ ଆମ ଡାକ ଶୁଣିଛନ୍ତି । ଆମ ଆଖିରୁ ନିଦ ହଜି ଯାଇଥିଲା । ଭଣ୍ଡବାବାକୁ ଉଚିତ ଶିକ୍ଷା ମିଳିଛି । ଆମେ ଏବେ ଟିକେ ଶାନ୍ତିରେ ବିଶ୍ରାମ କରିପାରିବୁ । କୋର୍ଟ ମୋ ପରିବାରକୁ ନ୍ୟାୟ ପ୍ରଦାନ କରିଛନ୍ତି । ଜାନୁଆରୀ ୩୦ ତାରିଖ ରାତିରେ ଆମେ ଶାନ୍ତିରେ ଶୋଇଛୁ । ଆଶାରାମଙ୍କ ବିରୋଧରେ ଲଢେ଼ଇ କରିବା ଭିତରେ ଆମର ମାନସିକତା ଦୃଢ଼ ହୋଇଛି । ଆଶାରାମଙ୍କ ହୀନ ଦୃଷ୍ଟିରେ ପଡ଼ିଥିବା ପୀଡ଼ିତା ଝିଅ କହିଛି, ‘ଭଲ ହୋଇଛି ବାପା । ଦୁଷ୍ଟକୁ ଦଣ୍ଡ ମିଳିଛି ନଚେତ୍ ଲୋକମାନେ ଆମକୁ ସନ୍ଦେହ ଦୃଷ୍ଟିରେ ଦେଖିଥାନ୍ତେ ।’