ବିଶ୍ୱ ହକିକପ୍‌ରେ ଆମ ହକିବୀର ଦୁର୍ବଳ!

୧୯୭୫ ବିଶ୍ୱ ହକିକପର ବିଜେତା ହେବା ପରଠାରୁ ….

୧୯୭୫ ବିଶ୍ୱ ହକିକପର ବିଜେତା ହେବା ପରଠାରୁ ଭାରତର ପୁରୁଷ ହକି ଦଳ ପାଇଁ ହକି ବିଶ୍ୱକପ୍‌ ସାତସପନ ହୋଇଯାଇଛି । ୧୯୭୧ରୁ ହକି ବିଶ୍ୱକପ୍‌ ଅନୁଷ୍ଠିତ ହେଉଛି । କ’ଣ ପାଇଁ ଆମ ହକିବୀରଙ୍କ ହାତରୁ ହକି ବିଶ୍ୱକପ୍‌ ଖସିଯାଉଛି? ଗ୍ରାହାମ ରିଡଙ୍କ ଇସ୍ତଫା ପରେ ଏହି ଆଲୋଚନା ଏବେ ଆମକୁ ଉଦ୍‌ବେଳିତ କରୁଛି ।

ହକି ଇଣ୍ଡିଆର ଦକ୍ଷ ପରିଚାଳନାରେ ଭାରତର ପୁରୁଷ ହକି ଦଳ ଅନ୍ତର୍ଜାତୀୟ ସ୍ତରକୁ ରୁଦ୍ଧିମନ୍ତ କରିଛି । ହକିକୁ ଜନ୍ମ ଦେଇ ଭାରତ ଧନ୍ୟ ହୋଇଛି । ଭାରତ ତୁଳନାରେ ବିଦେଶରେ ହକିକୁ ଯଥେଷ୍ଟ ସମ୍ମାନ ମିଳୁଛି । ୧୯୨୮ରୁ ଆମ ହକି ଦଳ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରୁଛି । ଆମ ହକି ବୀରମାନେ ଆଠଟି ଅଲିମ୍ପିକ ସ୍ୱର୍ଣ୍ଣପଦକ ଲାଭ କରିଛନ୍ତି । ଇଂରେଜ ଶାସନାଧୀନ ଭାରତ ୧୯୨୮, ୧୯୩୨ ଓ ୧୯୩୬ ଅଲିମ୍ପିକ୍‌ ସ୍ୱର୍ଣ୍ଣପଦକ ଲାଭ କରିଥିଲା ବେଳେ ସ୍ୱାଧୀନ ଭାରତର ହକିବୀର ୧୯୪୮, ୧୯୫୨, ୧୯୫୬, ୧୯୬୪ ଓ ୧୯୮୦ରେ ଅଲିମ୍ପିକ୍‌ ସ୍ୱର୍ଣ୍ଣପଦକ ଲାଭ କରିଛନ୍ତି । ୧୯୭୫ରେ ଆମ ଦଳ ବିଶ୍ୱକପ୍‌ ବିଜେତା ହୋଇଥିଲା ।

ଅନ୍ୟ ଦେଶ ତୁଳନାରେ ଭାରତର ଅଲିମ୍ପିକ୍‌ ଅଭିଯାନ ଚମକପ୍ରଦ ଥିଲା । ଅଲିମ୍ପିକ୍‌ ଇତିହାସରେ ଭାରତ ୧୩୪ଟି ମ୍ୟାଚ୍‌ ଖେଳିବାର ସୁଯୋଗ ପାଇଛି ଓ ୮୩ଟି ମ୍ୟାଚ୍‌ରେ ବିଜୟୀ ହୋଇଛି । ୧୯୨୮ ଓ ୧୯୫୬ରେ ଭାରତର ପୁରୁଷ ହକି ଦଳକୁ କୌଣସି ଦେଶ ଗୋଟିଏ ବି ଗୋଲ୍‌ ଦେଇପାରି ନଥିଲେ । ଏତେ ଶକ୍ତିଶାଳୀ ଦଳ ଦିନକୁ ଦିନ ପରାକ୍ରମ ହରାଇବା ପଛରେ ସରକାରଙ୍କ ଉଦାସୀନତା ଦାୟୀ ନୁହେଁ କି?

 

ଏସିଆନ୍‌ ଗେମ୍ସରେ ଭାରତର ପୁରୁଷ ହକି ଦଳର ଐତିହ୍ୟ ବେଶ ଗୌରବମୟ । ଭାରତ ୧୯୬୬, ୧୯୯୮ ଓ ୨୦୧୪ରେ ଚାମ୍ପିୟନ ହୋଇଛି । ଏସିଆ କପ୍‌ରେ ପୁରୁଷ ହକି ଦଳ ୫୬ଟି ମ୍ୟାଚ୍‌ ଖେଳିବାର ସୁଯୋଗ ପାଇ ୪୩ଟି ମ୍ୟାଚ୍‌ ଜିତିବା ଆଉ ଏକ ଗୌରବମୟ ଇତିହାସ । ୨୦୦୩, ୨୦୦୭ ଓ ୨୦୧୭ରେ ଅନୁଷ୍ଠିତ ଏସିଆ କପ୍‌ରେ ଆମ ପୁରୁଷ ହକି ଦଳ ଚାମ୍ପିୟନ୍‌ ହୋଇଥିଲା । ୨୦୧୧, ୨୦୧୬ ଓ ୨୦୧୮ରେ ଭାରତ ଏସିଆନ୍‌ ଚାମ୍ପିଅନସିପ୍‌ ଟ୍ରଫି ଲାଭ କରିଛି । ହକି ଦୁନିଆରେ ଭାରତ ୨୭ଟି ଆନ୍ତର୍ଜାତିକ ହକି ଟାଇଟଲ ହାସଲ କରିଛି ।
ଭାରତ ତା’ର ପାରମ୍ପରିକ ଶତ୍ରୁ ପାକିସ୍ତାନ ବିରୋଧରେ ଅଧିକାଂଶ ଟାଇଟଲ ଜିତିଛି । ଅଲିମ୍ପିକ୍ସ, ୱାର୍ଲଡ୍‌ କପ୍‌, ଏସିଆନ୍‌ ଗେମ୍ସ ଓ ଏସିଆ କପ୍‌ ଭଳି ଆନ୍ତର୍ଜାତିକ ହକି ଟୁର୍ଣ୍ଣାମେଂଟରେ ଭାରତର ପୁରୁଷ ହକି ଦଳ ଶକ୍ତିଶାଳୀ ସାବ୍ୟସ୍ତ ହୋଇଛି ।