ନବୀନଙ୍କ ଶାସନରେ ହକିକୁ କରୋନା

ହକିପ୍ରେମୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନରେ ହକିକୁ ….

ଭୁବନେଶ୍ୱର: ହକିପ୍ରେମୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନରେ ହକିକୁ ଉପେକ୍ଷା କରାଯାଉଛି କହିବା ଆଦୌ ଗ୍ରହଣୀୟ ନୁହେଁ । ଉନ୍ନତମାନର ଯନ୍ତ୍ରପାତି ବଳରେ ଯେକୌଣସି ଗାଡ଼ି ଦମଦାର ସାବ୍ୟସ୍ତ ହୋଇଥାଏ; ଦକ୍ଷ ଚାଳକ ଗାଡ଼ିର ଯନ୍ତ୍ରାଂଶକୁ ସୁରକ୍ଷିତ ରଖିବା ସହିତ ଦୀର୍ଘକାଳୀନ ସେବା ପ୍ରତି ଧ୍ୟାନ ଦେଇଥାନ୍ତି । ସଦ୍ୟ ସମାପ୍ତ ଭାରତୀୟ ପୁରୁଷ ହକି ବିଶ୍ୱକପର ନୈରାଶ୍ୟଜନକ ପ୍ରଦର୍ଶନରେ ମାନସିକ ଆଘାତ ପାଇଁ ପ୍ରଶିକ୍ଷକ ଗ୍ରାହାମ ରିଡ୍‌ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଦଳର ପରାଜୟ ପାଇଁ ରିଡ୍‌ ନିଜକୁ ଦାୟୀ କରି ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇ ତାଙ୍କର ମହନୀୟତାର ପ୍ରମାଣ ଦେଇଛନ୍ତି । ମାତ୍ର ପ୍ରଶ୍ନ ଉଠୁଛି, ଶକ୍ତିଶାଳୀ ପୁରୁଷ ହକି ଦଳଟିଏ ଗଠନ କରିବା ପାଇଁ ଭାରତ ସରକାର କେତେ ଯତ୍ନବାନ ଥିଲେ । ଓଡ଼ିଶା ସରକାର ବିଶ୍ୱ ହକି କପ୍‌ ଆୟୋଜନ କରି ତା’ର ନୈତିକ କର୍ତବ୍ୟ ସମ୍ପାଦନ କରିଛନ୍ତି ।

ଭାରତର ଶିକ୍ଷାନୁଷ୍ଠାନଗୁଡ଼ିକ କ୍ରିକେଟ୍‌ ପ୍ରତି ଯେତିକି ଗୁରୁତ୍ୱ ଦେଉଛନ୍ତି । ହକି ଓ ଫୁଟବଲ ପ୍ରତି ସେତିକି ଶୁଭଦୃଷ୍ଟି ପକାଉ ନାହାନ୍ତି । ବିଶେଷ କରି ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ କ୍ରିକେଟ୍‌ ତାରକାଟିଏ ତିଆରି କରିବା ପାଇଁ ଲାଳାୟିତ; କିନ୍ତୁ ଫୁଟବଲ କି ହକି ତାରକାଟିଏ ତିଆରି କରିବାକୁ ସେତିକି ତତ୍ପରତା ଦେଖାଉ ନାହାନ୍ତି ।
ଆଉ କାହା କଥା କାହିଁକି କହିବା? ଆମ ଆଗରେ ଭାରତର ଏକନମ୍ବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଛନ୍ତି ଯାହାଙ୍କ ଆଦର୍ଶ ବିଦ୍ୟାଳୟରେ ଭଲ ହକିଷ୍ଟିକ୍‌ ନାହିଁ । ହକି ବଲ ନାହିଁ । ହକି କୋଚ୍‌ ନାହାନ୍ତି । ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କୀ ରାଜ୍ୟସଭା ସାଂସଦ ଥିଲାବେଳେ କେତୋଟି ବିଦ୍ୟାଳୟକୁ ଯାଇ ହକି ଷ୍ଟିକ୍‌, ହକି ବଲ, ହକି କୋଚ୍‌ ନିଯୁକ୍ତ କରିଛନ୍ତି?
ଗ୍ରାହାମ ରିଡ୍‌ଙ୍କ ଇସ୍ତଫା ଗ୍ରହଣ କରି ଦିଲୀପ ଯୁକ୍ତିଯୁକ୍ତ ନିଷ୍ପତି ନେଇଛନ୍ତି । କିନ୍ତୁ ରାଜ୍ୟର ବିଦ୍ୟାଳୟ ପ୍ରତି ଚରମ ଅବହେଳା କରିଛନ୍ତି । ଓଡ଼ିଶାକୁ ବିଶ୍ୱସ୍ତରରେ ପହଂଚାଇବାର ଏକ ସଫଳ ଉଦ୍ୟମ ଥିଲା ହକି ଆୟୋଜନ । ମାତ୍ର ଶକ୍ତିଶାଳୀ ପୁରୁଷ ଓ ମହିଳା ହକି ଦଳଟିଏ ଗଠନ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିହାତି ଜରୁରୀ ।