ଗତକାଲି କଂଗ୍ରେସର ହାତ ଛାଡିଲେ ଅଶୋକ ଚୌହ୍ବାନ ଆଜି ବିଜେପିରେ ଯୋଗ ଦେବେ

ମହାରାଷ୍ଟ୍ର ରାଜନୀତିରେ ବଡ଼ଧରଣର ହଲଚଲ। କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବ ମୁଖ୍ୟମନ୍ତ୍ରୀ ଅଶୋକ ଚୌହ୍ବାନ ଗତକାଲି କଂଗ୍ରେସର ହାତ ଛାଡିଲେ ଆଜି ଭାରତୀୟ ଜନତା ପାର୍ଟି (ବିଜେପି)ରେ ମିଶିବେ ବୋଲି ସୂଚନା ରହିଛି।

ଅଶୋକ ବିଜେପିରୁ ରାଜ୍ୟସଭାକୁ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଆହୁରି ବି ଶୁଣିବାକୁ ମିଳୁଛି ଯେ ଅଶୋକଙ୍କ ସହ ୧୦ରୁ ୧୨ ବିଧାୟକ ମଧ୍ୟ କଂଗ୍ରେସ ଛାଡିପାରନ୍ତି । ଏହାପୂର୍ବରୁ ମହାରାଷ୍ଟ୍ର କଂଗ୍ରେସର ଦୁଇ ବଡ ଚେହେରା ବାବା ସିଦ୍ଦିକି ଓ ମିଲିନ୍ଦ ଦେୱଡା ଦଳ ଛାଡିଥିଲେ।

ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପଟୋଲେଙ୍କୁ ପଠାଇଥିବା ଚିଠିରେ ସେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଥିବା ଘୋଷଣା କରିଥିଲେ। କେବଳ କଂଗ୍ରେସ ନୁହେଁ ବରଂ ବିଧାୟକ ପଦରୁ ମଧ୍ୟ ଅଶୋକ ଇସ୍ତଫା ଦେଇଥିଲେ। ବାଚସ୍ପତି ରାହୁଲ ନାର୍ଭେକରଙ୍କୁ ଭେଟି ଅଶୋକ ଇସ୍ତଫାପତ୍ର ପ୍ରଦାନ କରିଥିଲେ।

ପୂର୍ବରୁ ଅଶୋକ ୨୦୦୮ରୁ ୨୦୧୦ ପର୍ଯ୍ୟନ୍ତ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ରହିଥିଲେ । ତେବେ ତାଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆସିବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା । କଂଗ୍ରେସର ଜଣାଶୁଣା ଚେହେରା ଭାବେ ପରିଚିତ ଅଶୋକ ମହାରାଷ୍ଟ୍ରରେ କଂଗ୍ରେସର ମଙ୍ଗ ଧରିଥିଲେ ।