ଲକ୍ଷେ୍ନø: ଉମେଶ ପାଲ ହତ୍ୟାକାଣ୍ଡର ପ୍ରମୁଖ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ୟୁପି ସରକାର । ବୁଧବାର ସକାଳେ ମାଫିଆ ଆତିକ୍ ଅହମ୍ମଦର ଘନିଷ୍ଠ ଜଫର ଅହମ୍ମଦଙ୍କ ପ୍ରୟାଗରାଜସ୍ଥିତ ଘର ଉପରେ ବୁଲଡୋଜର ଚଢ଼ିଛି । ଉକ୍ତ ଆତିକଙ୍କ ପରିବାର ଭଡ଼ାରେ ରହୁଥିଲା । ଜଫରଙ୍କ ଘରୁ ଖଣ୍ଡା, ପିସ୍ତଲ ଓ ରାଇଫଲ ମିଳିଛି ।
ସୂଚନା ମୁତାବକ ଘୁମନଗଞ୍ଜ ଥାନା ଅନ୍ତର୍ଗତ ଚକିୟା ମୋହଲ୍ଲାରେ ଦୁଇମହଲା ବିଶିଷ୍ଟ ଘରକୁ ପ୍ରୟାଗରାଜ ବିକାଶ ପ୍ରାଧୀକରଣ ପକ୍ଷରୁ ଭାଙ୍ଗି ଦିଆଯାଇଛି । ଘରଟିର ବଜାର ମୂଲ୍ୟ ଆନୁମାନିକ ୩ କୋଟି ଟଙ୍କା ହେବ । ଆତିକଙ୍କ ଘରକୁ ଜବତ କରାଯିବା ପରେ ଜଫର ସେମାନଙ୍କୁ ଆଶ୍ରୟ ଦେଇଥିଲା ।
ଇତିମଧ୍ୟରେ ମାଫିଆ ଆତିକଙ୍କ ଓକିଲ ସୁପ୍ରିମକୋର୍ଟରେ ପିଟିସନ୍ ଦାଖଲ କରିଛନ୍ତି । ଉକ୍ତ ପିଟିସନରେ ଅହମ୍ମଦାବାଦ ଜେଲରୁ ୟୁପି ଜେଲକୁ ସ୍ଥାନାନ୍ତରଣ ନ କରିବା ପାଇଁ ପ୍ରାର୍ଥନା କରାଯାଇଛି । ପିଟିସନରେ ଉଲ୍ଲେଖ କରାଯାଇଛି ଯେ ୟୁପି ସରକାରଙ୍କ କିଛି ମନ୍ତ୍ରୀଙ୍କ ବୟାନରୁ ଆତିକଙ୍କୁ ମିଛ ଏନ୍କାଉଂଟର କରାଯିବାର ସଂକେତ ମିଳିଛି । ଆତିକଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଆକର୍ଷଣ କରିଛନ୍ତି ତାଙ୍କ ଓକିଲ ।
ଉମେଶ ହତ୍ୟାକାଣ୍ଡରେ ଗୁରୁତର ଆହତ ରାଘବେନ୍ଦ୍ର ସିଂହଙ୍କର ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ସନ୍ଧ୍ୟାରେ ଦେହାନ୍ତ ହୋଇଯାଇଛି । ଆତିକଙ୍କ ଓକିଲ ଖାନ୍ ସୌଲତ ହନିଫ କହିଛନ୍ତି, ଆଜି ଯୋଉ କୋଠାଟିକୁ ଭାଙ୍ଗି ଦିଆଯାଇଛି ତାହା ବେନାମୀ ସଂପତି ନୁହେଁ । ଉକ୍ତ କୋଠାର ମାଲିକ ଜଫର ଅହମ୍ମଦ ଖାନ । ଜଫର ମୂଳତଃ ବାନ୍ଦା ନିବାସୀ । ଜଫରଙ୍କ ବାପା ଉକ୍ତ କୋଠାଟିକୁ ୨୦୨୧ ଜାନୁଆରୀ ୭ ତାରିଖରେ କିଣିଥିଲେ । କୋଠାଟିର ସାମ୍ନାରେ ଆତିକଙ୍କ ପତ୍ନୀ ଶାଇସ୍ତା ପରବିନଙ୍କ ବାପଘର ।