ପାଣ୍ଡିଆନଙ୍କ ନାଁ କହି ଚଳୁ କଲେ ୪ କୋଟି ୮୪ ଲକ୍ଷ

ରାଜ୍ୟରେ ଫାଇଭ-ଟି ମୁଖ୍ୟ ଭିକେ ପାଣ୍ଡିଆନଙ୍କ…

କଟକ: ରାଜ୍ୟରେ ଫାଇଭ-ଟି ମୁଖ୍ୟ ଭିକେ ପାଣ୍ଡିଆନଙ୍କ ଖାତିର ସମସ୍ତଙ୍କୁ ଜଣା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଖଦୁଃଖର ସାଥୀ ଭିକେ ପାଣ୍ଡିଆନଙ୍କ ଇଶାରାରେ ଚାଲିଛି ଶାସନ । କ୍ଷମତାସୀନ ବିଧାୟକମାନେ ଉଠବସ ହେଉଛନ୍ତି । ପାଣ୍ଡିଆନଙ୍କ ଅନୁମତି ବିନା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରୁନାହାନ୍ତି କୌଣସି ବିଧାୟକ କି ମନ୍ତ୍ରୀ । ଏମିତି ଟାଣୁଆ ପ୍ରଶାସକଙ୍କ ନାଁ ଧରିବା ମାତ୍ରେ ଗର୍ଭିଣୀ ଗାଈ ବାଟ ଛାଡ଼ିଦେବନି କେମିତି? ଆମ ଦୃଷ୍ଟିରେ ଗର୍ଭିଣୀ ଗାଈ ହେଉଛି କଟକ କୋ-ଅର୍ବାନ୍‌ ଅପରେଟିଭ ବ୍ୟାଙ୍କ ।

ଜାଲ ଏଲ୍‌ଆଇସି ବଣ୍ଡ ଦାଖଲ କରି ବିଜେଡିର ଦୁଇଜଣ ନେତା ଉକ୍ତ ବ୍ୟାଙ୍କରୁ ୪ କୋଟି ୮୪ ଲକ୍ଷ ଟଙ୍କା ଋଣ ନେଇଛନ୍ତି । ୧୩ ମାସ ହେଲା ଋଣ ନେଲେଣି ମାତ୍ର ଟଙ୍କାଟିଏ ପଇଠ କରିନାହାନ୍ତି । ସୁଧମୂଳ ମିଶି ୫ କୋଟି ଟପିଲାଣି; ମାତ୍ର ପାଣ୍ଡିଆନଙ୍କ ନାଁ ଶୁଣିଥିବାରୁ ବ୍ୟାଙ୍କ ଅଧିକାରୀ ନିରବ ରହିବାକୁ ବାଧ୍ୟ ହୋଇଛନ୍ତି । ପୁଲିସ ସଂପୃକ୍ତ ମାମଲାର ତଦନ୍ତ କଲେ, ସତକଥା ସାମ୍ନାକୁ ଆସିବ ବୋଲି କୁହାଯାଉଛି ।

ସୂଚନା ମୁତାବକ ବ୍ୟାଙ୍କର ନୂଆପାଟଣା ଶାଖାରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଦୁଇଜଣ ବ୍ୟକ୍ତିଙ୍କ ନାମରେ ୮ ଥର ଋଣ ଉଠାଯିବା ବ୍ୟାଙ୍କ ଅଧିକାରୀଙ୍କ ଦୋଷତ୍ରୁଟିକୁ ପଦାରେ ପକାଇଛି । ପ୍ରତିଥର ୭୦ ଲକ୍ଷ ଟଙ୍କା ଲେଖାଁଏ ଚାରିଥରରେ ୨ କୋଟି ୮୦ ଲକ୍ଷ ଟଙ୍କା ଉଠାଯାଇଛି । ପ୍ରତିଥର ୪୨ ଲକ୍ଷ ଟଙ୍କା ଲେଖାଏଁ ତିନିଥରରେ ୧ କୋଟି ୨୬ ଲକ୍ଷ ଟଙ୍କା ଉଠାଯାଇଛି । ଏହାବାଦ ୭୮ ଲକ୍ଷ ଟଙ୍କାର ଆଉ ଗୋଟିଏ ଋଣ ରହିଛି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ଏତେ ପରିମାଣର ଋଣ ନେଇଥିବା ଦକ୍ଷ ଖେଳୁଆଡ଼ଙ୍କ ବିରୋଧରେ ବ୍ୟାଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି ।