ନିଜ ଜାଲରେ ଫସିଗଲା ଟିମ୍‌ ଇଣ୍ଡିଆ, ଅଢେ଼ଇ ଘଂଟାରେ ଅଲ୍‌ ଆଉଟ୍‌

ବିସିସିଆଇର ପୂର୍ବତନ କ୍ୟୁରେଟର୍ସଙ୍କ ମତରେ ‘ପିଚ୍‌ଟିକୁ ବଦଳାଇବା ସମ୍ଭବ ନୁହେଁ…

ଇନ୍ଦୋର: ନାଗପୁର ପରେ ଇନ୍ଦୋର ପିଚ୍‌ ମଧ୍ୟ ସନ୍ଦେହ ବଳୟକୁ ଆସିଛି । ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟର ପ୍ରଥମ ଦିନରେ ଟିମ୍‌ ଇଣ୍ଡିଆ ମାତ୍ର ଅଢେ଼ଇ ଘଂଟା ଭିତରେ ୧୦୯ ରନ୍‌ କରି ଅଲ୍‌ ଆଉଟ୍‌ ହୋଇଛନ୍ତି । ଟିମ୍‌ ଇଣ୍ଡିଆ ପରିଚାଳନା କମିଟି ମ୍ୟାଚ୍‌ ପୂର୍ବରୁ କ୍ୟୁରେଟର୍ସଙ୍କୁ ଟର୍ଣ୍ଣିଂ ଟ୍ରାକ୍‌ ପାଇଁ ପରାମର୍ଶ ଦେଇଥିଲା । ଭାରତର ବ୍ୟାଟ୍ସମ୍ୟାନ୍‌ ନିଜ ରଣନୀତିରେ ଫସିଗଲେ; ଘୂର୍ଣ୍ଣାୟମାନ ବଲରୁ ରନ୍‌ ସଂଗ୍ରହ କରି ପାରିଲାନି ଭାରତ ।

ପିଚ୍‌ ଟେକ୍‌ନିକ୍‌ ଅନୁସାରେ ସ୍ପିନରମାନେ ପଡ଼ିଆରୁ ଫାଇଦା ନେବାକୁ ଭାବୁଥିଲେ । ପଡ଼ିଆରେ ବଲ ୪.୮ ଡିଗ୍ରୀରେ ଟର୍ନ ନେଉଥିବାର ଦେଖିବାକୁ ମିଳିଥିଲା । ତାକୁ ନେଇ ଅଷ୍ଟ୍ରେଲିଆର ଗଣମାଧ୍ୟମ ସମେତ ଆହୁରି କିଛି କ୍ରିକେଟ୍‌ ବିଶାରଦ ପ୍ରଶ୍ନ ଉଠାଇଥିଲେ । ଅଷ୍ଟ୍ରେଲିଆର ଜଣେ ପୂର୍ବତନ କ୍ରିକେଟରଙ୍କ ମତରେ ପିଚ୍‌ଟି ଟେଷ୍ଟ ଉପଯୋଗୀ ନୁହେଁ । ବିସିସିଆଇର ପୂର୍ବତନ କ୍ୟୁରେଟର୍ସଙ୍କ ମତରେ ‘ପିଚ୍‌ଟିକୁ ବଦଳାଇବା ସମ୍ଭବ ନୁହେଁ ।’

ଅର୍ଦ୍ଧଶତକ ହାସଲ କରିଥିବା ଅଷ୍ଟ୍ରେଲିଆ ଓପନର ଉସମାନ କହନ୍ତି, ‘ସତ କହିବାକୁ ଗଲେ ପିଚ୍‌ଟି ସହଜ ନୁହେଁ’ । ଟସ୍‌ ସମୟରେ ଭାରତୀୟ କ୍ରିକେଟ୍‌ ଟିମ୍‌ ଅଧିନାୟକ ରୋହିତ ଶର୍ମା ମଧ୍ୟ ପିଚ୍‌କୁ ନେଇ ଅସନ୍ତୋଷ ଜାହିର କରିଥିଲେ । ପ୍ରଥମ ପାଳିରେ ଅଷ୍ଟ୍ରେଲିଆ ୪୭ ରନ୍‌ ଆଗୁଆ ଅଛି । ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ଚାରି ୱିକେଟ୍‌ ହରାଇ ୧୫୬ ରନ୍‌ କରିଛି ।