ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ପ୍ରତିଷ୍ଠାତା ଶରଦ ପୱାରଙ୍କ ରାଜନୀତିକୁ ଅତି ନିକଟରୁ ଦେଖିଥିବା ବର୍ଷୀୟାନ ଲୋକମାନେ ଏନସିପି ବିଭାଜନକୁ ଶରଦଙ୍କ ନୂଆ ରାଜନୀତିକ ଚାଲ କହିଲେଣି । ସେମାନଙ୍କ ମତରେ ଦାଦା ଶରଦ-ପୁତୁରା ଅଜିତ ଅଲଗା ହେବା ଏକ ନାଟକ ଛଡ଼ା ଆଉ କିଛି ନୁହେଁ । ଲୋକଙ୍କୁ ଦେଖାଇବା ପାଇଁ ଶରଦ ଓ ଅଜିତ ପୱାର ପରସ୍ପରଠାରୁ ଅଲଗା ହୋଇ ଯାଇଛନ୍ତି । ମାତ୍ର ଅସଲରେ ସେମାନେ ଏବର ରାଜନୀତିକୁ ଦେଖି ଗୋଟି ଚାଳନା କରୁଛନ୍ତି ।
ଶରଦଙ୍କ ନୂଆ ରାଜନୀତି ହେଉଛି, ଅନ୍ଧାରରେ ରୁହନ୍ତୁ ଅବା ଆଲୁଅରେ, ତାଙ୍କ ପାଟିରେ ଗୁଡ଼ ବାଜିବାର ଅଛି । କହିବାର ଅର୍ଥ ହେଲା, ଅଜିତଙ୍କ ଜରିଆରେ ବିଜେପି ମେଂଟରୁ ଓ ନିଜ ବଳରେ କଂଗ୍ରେସ ମେଂଟରୁ ଫାଇଦା ହାସଲ କରିବେ ।
ବରିଷ୍ଠ ସାମ୍ବାଦିକଙ୍କ ମତରେ ଏନସିପି ମୁଖ୍ୟ ଶରଦ ପୱାର ବାଦୁଡ଼ିକୁ ଗୁରୁ କରିଛନ୍ତି । ବାଦୁଡି ସମୟ ସହିତ ତାଳ ଦେଇ ପଶୁ କି ପକ୍ଷୀ ମହଲରୁ ଆପଣା ସ୍ୱାର୍ଥ ହାସଲ କରିଥାଏ । ସେମିତି ଶରଦ ପୱାର ନା କଂଗ୍ରେସ ମେଂଟର ନା ବିଜେପି ମେଂଟର । ସେ ସବୁବେଳେ ଆପଣା ରାଜନୈତିକ ଫାଇଦାକୁ ଦେଖି ଆସିଛନ୍ତି । ତାଙ୍କରି ପରାମର୍ଶକୁ ଗ୍ରହଣ କରି ଅଜିତ ବିଜେପି ମେଂଟରେ ମିଶିଛନ୍ତି ।
ସୂଚନା ମୁତାବକ, ବିରୋଧୀ ଗୋଠର ଦୁଇଟି ବୈଠକ ଅନୁଷ୍ଠିତ ହୋଇ ସାରିଲାଣି । ପାଟନା ବୈଠକକୁ ଯିବାର ପ୍ରତିଶ୍ରୁତି ଦେଇ ଶରଦ ଯୋଗ ଦେଲେନି । ଏବେ ବେଙ୍ଗାଲୁରୁ ବୈଠକରେ ମଧ୍ୟ ଶରଦ ଯୋଗ ଦେଇନାହାନ୍ତି ।
ଅନ୍ୟ ପକ୍ଷରେ ଅଜିତ ପୱାର ଓ ତାଙ୍କର ଅନୁଗତମାନେ ଏନସିପିକୁ ଆପଣାର କରିବାକୁ ଉଦ୍ୟମ ଚଳାଇଛନ୍ତି ।