ଦେଶରେ ଆରମ୍ଭ ହେଲା ବୁଷ୍ଟର ଡୋଜ ଟିକାକରଣ

ନୂଆଦିଲ୍ଲୀ : ଦେଶରେ ଆରମ୍ଭ ହୋଇଛି ୧୮ ବର୍ଷରୁ ଉର୍ଦ୍ଧ ବୟସ୍କଙ୍କୁ ବୁଷ୍ଟର ଡୋଜ୍‌ ଟିକାକରଣ । ପୂର୍ବରୁ ଘରୋଇ ହସ୍ପିଟାଲଗୁଡ଼ିକ ପାଇଁ କୋଭିଶିଲ୍ଡ ଓ କୋଭାସ୍କିନ ଦର ହ୍ରାସ ପାଇଛି । ଏବେ ଉଭୟ ଟିକା ୨୨୫ ଟଙ୍କାରେ ଉପଲବ୍ଧ ହେବ । ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପରେ ସିରମ ଇନଷ୍ଟିଚ୍ୟୁଟ କୋଭିଶିଲ୍ଡ ଦାମ୍‌ ୬୦୦ ଟଙ୍କାରୁ ୨୨୫ ଟଙ୍କାକୁ ହ୍ରାସ କରିବା ସହ କୋଭାସ୍କିନ ଦାମ ୧୨୦୦ ଟଙ୍କାରୁ ୨୨୫ ଟଙ୍କାକୁ ହ୍ରାସ କରିଛି । ଏନେଇ ସିରମ ଇନଷ୍ଟିଚ୍ୟୁଟ ସିଇଓ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷରେ କୋଭିଡ ଟିକାକରଣର ବୁଷ୍ଟର ଡୋଜ ନେବା ନାମ ପଞ୍ଜୀକରଣ କରିବା ଆବଶ୍ୟକ ନାହିଁ । ସେହିପରି ପ୍ରଥମ ଓ ଦ୍ୱିତୀୟ ଡୋଜ୍‌ ନେବା ପାଇଁ ପଞ୍ଜୀକରଣ ଆବଶ୍ୟକ ହେଉଥିଲା । ସମସ୍ତ ହିତାଧିକାରୀଙ୍କ ନାଁ କୋୱିନରେ ପଞ୍ଜୀକୃତ ହୋଇସାରିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଛନ୍ତି । ୧୮ରୁ ୫୯ ବର୍ଷ ବୟସ ବର୍ଗଙ୍କ ଲାଗି ବୁଷ୍ଟର ଡୋଜ୍‌ ଘରୋଇ ଟିକା କେନ୍ଦ୍ରଗୁଡ଼ିକରେ ଉପଲବ୍ଧ ହେବ ।