‘ବୋଉଲୋ, ମତେ ଯମ କବଳରୁ ରକ୍ଷା କର’

ମ୍ୟାଁମାରରେ ଗୋଲାମଗିରି କରୁଛନ୍ତି ହଜାରେ ଆଇଟିଆନ୍‌

ଦିନକୁ ୧୮ ଘଂଟା ଖଟଣି, ପାରିଶ୍ରମିକ ଶୂନ……

ନୂଆଦିଲ୍ଲୀ: ‘ମତେ ବଂଚାଲୋ ବୋଉ । ଏଠି ଯମ କବଳରେ ପଡ଼ି ବଡ଼ କଲବଲ ହଉଛି ।’ ମ୍ୟାଁମାରରେ ଦିନକୁ ୧୮ ଘଂଟା ଖଟୁଥିବା ଜଣେ ଭାରତୀୟ ଆଇଟିଆନ୍‌ କାନ୍ଦିକାନ୍ଦି ଘରଲୋକଙ୍କ ସହ ଫୋନ୍‌ରେ କଥା ହେବାବେଳେ ଆକୁଳ ନିବେଦନ କରିଛନ୍ତି । ସଂପୃକ୍ତ ଆଇଟିଆନ୍‌ଙ୍କୁ ପାରିଶ୍ରମିକ ବାବଦକୁ ଟଙ୍କାଟିଏ ମିଳୁନି । ଦରମା କଥା କହିଲେ, ସଂସ୍ଥା ମାଲିକ ଜୀବନରୁ ମାରିଦେବାର ଧମକ ଦଉଛନ୍ତି ।

ଏପରିକି ଆଖି, କିଡ୍‌ନୀ, ଲିଭର ବିକିଦେବାର ଧମକ ଦିଆଯାଉଛି । ମହାରାଷ୍ଟ୍ର ଯୁବକ ଦିପେଶ ଘରଲୋକଙ୍କ ନିକଟକୁ ଫୋନ୍‌ କରି କହିଛନ୍ତି, ‘ମୋ ସହିତ ରହୁଥିବା ଜଣେ ଛାତ୍ରଙ୍କୁ ତିନିଜଣ ଲୋକ ନେଇ ଯାଇଛନ୍ତି । ସେ ଛାତ୍ରଜଣକ ଆଉ ଫେରିବ ବୋଲି ମୁଁ ଭାବି ପାରୁନି । ଆପଣମାନେ ମୋ ପାଖକୁ ଦ୍ୱିତୀୟ ବାର ଫୋନ୍‌ କଲାବେଳକୁ ମୁଁ ହୁଏତ ଜୀବନରେ ନଥିବି ।’ ଏତିକି କହିଲା ବେଳକୁ ଫୋନ୍‌ଟି କଟିଗଲା । ପରେ ପରେ ଫୋନଟି ବନ୍ଦ ହୋଇଗଲା ।

ଚଳିତ ଫେବୃଆରୀରେ ଆଇଟିଆନ୍‌ ଦିପେଶ ସୋସିଆଲ ମିଡିଆରେ ଲୋଭନୀୟ ଚାକିରି ବିଜ୍ଞାପନ ଦେଖିବା ପରେ ଆବେଦନ କରିଥିଲା । ଡକରା ଆସିବାରୁ ସେ ମ୍ୟାଁମାର ପଳାଇଥିଲେ । ସେଠାରେ ସାଇବର ଠକେଇ ସିଣ୍ଡିକେଟ୍‌ ହାବୁଡ଼ରେ ପଡ଼ି ଯାଇଛନ୍ତି । ତାଙ୍କୁ ଛାଡ଼ିବା ପାଇଁ ସାଇବର ଅପରାଧୀମାନେ ୫ ଲକ୍ଷ ଟଙ୍କା ଦାବି କରିଛନ୍ତି । ଶେଷ ଥର ପାଇଁ ଦିପେଶ ଅକ୍ଟୋବର ୯ ତାରିଖ ସକାଳ ୮ଟାରେ ଘରଲୋକଙ୍କ ସହ କଥା ହୋଇଥିଲେ ।

ଏକା ଦୀପକ ନୁହନ୍ତି, ତାଙ୍କ ଭଳି ପ୍ରାୟ ୧ ହଜାର ଯୁବ ଆଇଟିଆନ୍‌ ମ୍ୟାଁମାରରେ ଗୋଲାମଗିରି କରୁଛନ୍ତି । ମ୍ୟାଁମାରରେ ଫସିଥିବା ଆଇଟିଆନଙ୍କ ଭିତରେ ୧୦/୧୨ ଜଣ ଯୁବତୀ ଅଛନ୍ତି । ବିଭିନ୍ନ ଦେଶରୁ ପ୍ରାୟ ୧୦ ହଜାର ଯୁବକ ସେଠାରେ ସାଇବର କ୍ରୀତଦାସ ଭାବେ ଗଧ ଖଟଣି ଖଟି ଚାଲିଛନ୍ତି । ସାଇବର ଦଲାଲଙ୍କ କବଳରୁ ଖସି ଭାରତକୁ ଫେରିଥିବା କିଛି ଯୁବକ ଏହି କଥା କହିଛନ୍ତି । ଭାରତ ସମେତ ପାକିସ୍ତାନ, ବାଂଲାଦେଶ, ଚୀନ, ଶ୍ରୀଲଙ୍କା ଓ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକର ଲୋକମାନେ ମଧ୍ୟ ବନ୍ଧକ ଅଛନ୍ତି ।

ମାନବ ଚାଲାଣକାରୀଙ୍କ କବଳରୁ ଖସିଯାଇ ବିଦେଶ ମନ୍ତ୍ରଣାଳୟ ସହାୟତାରେ ସ୍ୱଦେଶ ଫେରିଥିବା ଶତାଧିକ ଲୋକଙ୍କ ଭିତରେ ଅଛନ୍ତି ଗାଜିଆବାଦ ନିବାସୀ ରାଜେଶ । ସେ ମ୍ୟାଁମାରରେ ପ୍ରାୟ ୮ ମାସ କଟାଇବା ପରେ ବଡ଼କଷ୍ଟରେ ଭାରତ ଫେରିଛନ୍ତି । ରାଜେଶ କହନ୍ତି, ମ୍ୟାଁମାରରେ ପହଂଚିବା ପରେ ଆମର ସ୍ୱାଧୀନତା ବୋଲି କିଛି ରହିଲାନି । ଆମକୁ ଦଲାଲଙ୍କ କଥା ମାନିବାକୁ ବାଧ୍ୟ କରାଗଲା । ସେମାନଙ୍କ କଥା ଅନୁସାରେ କାମ ନକଲେ, ଶରୀରରୁ ଅଙ୍ଗପ୍ରତ୍ୟଙ୍ଗ କାଢ଼ି ବିକି ଦିଅନ୍ତି । ନିଜେ ରାଜେଶ ସେମାନଙ୍କ କଥା ଅମାନ୍ୟ କରି ଚାରିଦିନ କାଳ ବହୁ ଯନ୍ତ୍ରଣା ପାଇଥିଲେ । ତାଙ୍କୁ ସେଠାକାର ଜେଲରେ ଠିଆହୋଇ ଶୋଇବାକୁ ପଡ଼ିଥିଲା ।