କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ: ଖଡ୍‌ଗେ ବିଜୟୀ

କଂଗ୍ରେସକୁ ମିଳିଲା ଦ୍ୱିତୀୟ ଦଳିତ ଅଧ୍ୟକ୍ଷ…..

ନୂଆଦିଲ୍ଲୀ: ଦୀର୍ଘ ୨୪ ବର୍ଷ ପରେ କଂଗ୍ରେସକୁ ଅଣଗାନ୍ଧୀ ଅଧ୍ୟକ୍ଷ ମିଳିଛି । ଶଶି ଥରୁରଙ୍କୁ ୬୮୨୫ ଭୋଟ ବ୍ୟବଧାନରେ ପରାଜିତ କରି ମଲ୍ଲିକାର୍ଜୁନ ଖଡ୍‌ଗେ କଂଗ୍ରେସର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଖଡ୍‌ଗେଙ୍କୁ ୭୮୯୭ ଭୋଟ ମିଳିଥିଲା ବେଳେ ଥରୁରଙ୍କୁ ମାତ୍ର ୧୦୭୨ ଭୋଟ ମିଳିଥିଲା । ୪୧୬ଟି ଭୋଟ ନାକଚ ହୋଇଯାଇଥିଲା । ଫଳାଫଳ ଘୋଷିତ ହେବା ପରେ ଥରୁର ବିଜୟୀ ଖଡ୍‌ଗେଙ୍କୁ ଅଭିନନ୍ଦନ ଜଣାଇବା ସହ ସମର୍ଥକଙ୍କୁ ସାଧୁବାଦ ଜଣାଇଛନ୍ତି ।

ଥରୁରଙ୍କ ମୁଖ୍ୟ ନିର୍ବାଚନ ଏଜେଂଟ ସଲମାନ ସୋଜ ମତଦାନ ଅନିୟମିତତା ସଂପର୍କରେ ଅଭିଯୋଗ କରିଥିଲେ । ନିର୍ବାଚନରେ ଅନିୟମିତତା ଅଭିଯୋଗ ଶୁଣିବା ପରେ ରାହୁଲ କହିଥିଲେ ଯେ କଂଗ୍ରେସ ନିର୍ବାଚନ କମିଟି ସେ ବିଷୟରେ ମଧୁସୂଦନ ମିସ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛି । ତାଙ୍କ ନିଷ୍ପତିକୁ ଦଳ ମାନିବାକୁ ବାଧ୍ୟ ହେବ ।

ଖଡ୍‌ଗେ କଂଗ୍ରେସର ୬୯ତମ ଅଧ୍ୟକ୍ଷ ହେବେ । ତା’ ସହିତ ସେ କଂଗ୍ରେସର ଦ୍ୱିତୀୟ ଦଳିତ ଅଧ୍ୟକ୍ଷ । ବାବୁ ଜଗଜୀବନ ରାମ କଂଗ୍ରେସର ପ୍ରଥମ ଦଳିତ ଅଧ୍ୟକ୍ଷ ଥିଲେ । ସ୍ୱାଧୀନ ଭାରତରେ ଗାନ୍ଧୀ ପରିବାର ଦୀର୍ଘ ୪୪ ବର୍ଷ ଧରି କଂଗ୍ରେସର ଅଧ୍ୟକ୍ଷ ପଦବୀକୁ ଉପଭୋଗ କରିଛନ୍ତି । ଏଠାରେ ଜଣାଇଦେଉଛୁ, ୧୯୯୮ରେ କଂଗ୍ରେସର ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ହୋଇଥିଲା । ସେତେବେଳେ ବରିଷ୍ଠ ନେତା ଜିତେନ୍ଦ୍ର ପ୍ରସାଦ ଓ ସୋନିଆ ଗାନ୍ଧୀ ଅଧ୍ୟକ୍ଷ ପଦବୀ ପାଇଁ ଲଢୁଥିଲେ । ସୋନିଆଙ୍କୁ ୭୪୪୮ ଭୋଟ ମିଳିଥିଲା ବେଳେ ଜିତେନ୍ଦ୍ର ମାତ୍ର ୯୮ ଭୋଟ ପାଇଥିଲେ ।