ଟି-୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲେ ବୁମରାହ

ବୁମରାହଙ୍କ ସ୍ଥାନରେ ଖେଳିପାରନ୍ତି ଶାମୀ…..

ନୂଆଦିଲ୍ଲୀ: ପିଠିରେ ଯନ୍ତ୍ରଣା କାରଣରୁ କ୍ରିକେଟିୟର୍‌ ଯଶପ୍ରୀତ ବୁମରାହଙ୍କୁ ଟି-୨୦ ବିଶ୍ୱକପ୍‌ରୁ ବାଦ ଦିଆଯାଇଛି । ଏବେ ତାଙ୍କ ସ୍ଥାନରେ ମହମ୍ମଦ ଶାମୀଙ୍କୁ ନିଆଯିବାର ସମ୍ଭାବନା ରହିଛି । ଟି-୨୦ କ୍ୟାଟେଗୋରୀରେ ବୁମ୍‌ରାହଙ୍କ ପ୍ରଦର୍ଶନ ଦମଦାର ଥିଲା । ତାଙ୍କ ଭଳି ଆଉ ଜଣେ ଖେଳାଳିଙ୍କୁ ତାଙ୍କ ସ୍ଥାନରେ ଖେଳାଇବା ପାଇଁ ବିସିସିଆଇ ଚିନ୍ତା କରୁଛି । ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଭଲ ଖେଳିବାକୁ ମନସ୍ଥ କରିଛି । ମାତ୍ର କ୍ଷୀପ୍ର ବୋଲର ଯଶପ୍ରୀତ ବୁମରାହ ନଖେଳିବା ଅନେକଙ୍କୁ ମର୍ମାହତ କରିଛି ।

ପିଠିର ଯନ୍ତ୍ରଣାରୁ ମୁକୁଳିବା ପାଇଁ ଅନ୍ତତଃପକ୍ଷେ ୬ ମାସ ସମୟ ଲାଗିବ । ବୁଧବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚରୁ ମଧ୍ୟ ବୁମରାହ ବାଦ୍‌ ପଡ଼ିଥିଲେ । ଅଭ୍ୟାସ ସମୟରେ ସେ ପିଠିରେ ଯନ୍ତ୍ରଣା ଅନୁଭବ କରିବା କଥା କହିଥିଲେ । ପରେ ମେଡିକାଲ ଟିମ୍‌ ପରାମର୍ଶ ଅନୁସାରେ ସେ ଟି-୨୦ରୁ ବାଦ୍‌ ପଡ଼ିଛନ୍ତି । ପିଠି ଯନ୍ତ୍ରଣା କାରଣରୁ ସେ ଏସିଆ କପ୍‌ରୁ ବାଦ୍‌ ପଡ଼ିଥିଲେ । ଆନ୍ତର୍ଜାତିକ ଟି-୨୦ କ୍ୟାରିୟରରେ ବୁମରାହ ପ୍ରାୟ ୬୦ଟି ମ୍ୟାଚ୍‌ ଖେଳି ୭୦ଟି ୱିକେଟ୍‌ ହାସଲ କରିଛନ୍ତି । ତାଙ୍କର ଶ୍ରେଷ୍ଠ ବୋଲିଂ ହେଉଛି ୧୧ ରନ୍‌ ବିନିମୟରେ ତିନୋଟି ୱିକେଟ୍‌ ହାସଲ ।

ବୁମରାହଙ୍କ ଅନୁପସ୍ଥିତିରେ ଟି-୨୦ ବିଶ୍ୱକପ୍‌ର ସଂରକ୍ଷିତ ଖେଳାଳି ତାଲିକାରେ ଥିବା ମହମ୍ମଦ ଶାମୀ ପଡ଼ିଆକୁ ଓହ୍ଲାଇ ପାରନ୍ତି । ଅଷ୍ଟ୍ରେଲିଆ ପିଚ୍‌ ପାଇଁ ଶାମୀ ହିଁ ଭଲ ବୋଲର୍‌ ସାବ୍ୟସ୍ତ ହେବେ । ଚଳିତ ଆଇପିଏଲ୍‌ରେ ଶାମୀ ଦମଦାର୍‌ କ୍ରୀଡ଼ା ପ୍ରଦର୍ଶନ କରି ଦଳକୁ ଫାଇନାଲରେ ପହଂଚାଇ ପାରିଥିଲେ । ଜଣକ ପରେ ଜଣେ ଟାଣୁଆ ଖେଳାଳି ଅସୁସ୍ଥ କାରଣରୁ ବାଦ୍‌ ପଡ଼ିବାରୁ ଟି-୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଚିନ୍ତାରେ ପଡ଼ିଯାଇଛି । ପ୍ରଥମେ ରବିନ୍ଦ୍ର ଜାଡେଜା ଟିମ୍‌ରୁ ବାହାରିଗଲେ ।

ତାଙ୍କ ପରେ ଦୀପକ ହୁଡ୍ଡା ମଧ୍ୟ ଟିମ୍‌ରୁ ବାଦ୍‌ ପଡ଼ିଲେ । ଏବେ ଯଶପ୍ରୀତ ବୁମରାହ ଟି-୨୦ରୁ ବାଦ୍‌ ପଡ଼ିଲେ । ଏସିଆ କପ୍‌ରୁ ଟିମ୍‌ ଇଣ୍ଡିଆର ବୋଲିଂ ପ୍ରଦର୍ଶନ ଭଲ ନାହିଁ । ଅଭିଜ୍ଞ ବୋଲର ଭୁବନେଶ୍ୱର କୁମାର ମଧ୍ୟ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ଅଠରତମ ଓ ଉଣେଇଶତମ ଓଭରରେ ତାଙ୍କର ବୋଲିଂ ଦଳକୁ କ୍ଷତିରେ ପକାଇଛି । ବୁମରାହଙ୍କ ଉପରେ ବହୁତ ଭରସା ଥିଲା । ମାତ୍ର ଏବେ ଶାମୀ ଦଳ ପାଇଁ କିପରି ଲାଭଜନକ ସାବ୍ୟସ୍ତ ହେବେ, ତାହା ଦେଖିବାକୁ ଅପେକ୍ଷା ।