ବିଧାୟକଙ୍କ ନାଁରେ ୭୫୪ କୋଟି ଟଙ୍କାର ବ୍ୟାଙ୍କ ଠକେଇ ଅଭିଯୋଗ

ଲକ୍ଷ୍ନୌ: ବ୍ୟାଙ୍କ ଠକେଇ ଏହି ଅଭିଯୋଗରେ ବିଧାୟକ ବିନୟ ଶଙ୍କର ତିଓ୍ୱାରୀଙ୍କର ବିଭିନ୍ନ ସ୍ଥାନରେ ସିବିଆଇ ରେଡ୍ କରିଛି। ସୋମବାର ବିଧାୟକଙ୍କ ନାମରେ ସିବିଆଇ ଏହି ରେଡ୍ କରିଥିବା ଜଣାପଡ଼ିଛି।ବିନୟ ଶଙ୍କର ତିୱାରୀ ଉତ୍ତର ପ୍ରଦେଶ ଗୋରଖପୁରର ଚିଲୁପରର ବିଏସପି ବିଧାୟକ ଅଟନ୍ତି ।

ସିବିଆଇ ବିଧାୟକ ଏବଂ ତାଙ୍କ ସ୍ତ୍ରୀ ରୀତା ତିୱାରୀଙ୍କର ବିଭିନ୍ନ ସ୍ଥାନରେ ଚଢାଉ କରି ବ୍ୟାଙ୍କ ଠକେଇ ମାମଲା ଦାୟର କରିଛି। ବିନୟ ଶଙ୍କର ତିୱାରୀ ଏବଂ ତାଙ୍କ ସ୍ତ୍ରୀଙ୍କ କମ୍ପାନୀରେ ସିବିଆଇ ରେଡ୍ କରିଥିବା ଜଣାପଡ଼ିଛି। ଲକ୍ଷ୍ନୌ ଏବଂ ନୋଏଡାରେ ସିବିଆଇ ସର୍ଚ୍ଚ ଅପରେସନ କରିଛି।ବିଧାୟକ ବିନୟ ଶଙ୍କର ତିୱାରୀଙ୍କ ସହ ଗଙ୍ଗୋତ୍ରୀ ଏଣ୍ଟରପ୍ରାଇଜେସ୍ ଏବଂ ରୟାଲ ମାର୍କେଟିଂ ପ୍ରାଇଭେଟ ଲିମିଟେଡ୍ ଏବଂ ଅଜିତ ପାଣ୍ଡେଙ୍କୁ ମଧ୍ୟ ସିବିଆଇ ଏଫ୍ଆଇଆରରେ ଉଲ୍ଲେଖ କରିଛି।

ବ୍ୟାଙ୍କ ଅଫ୍ ଇଣ୍ଡିଆର ଅଭିଯୋଗରେ ଲକ୍ଷ୍ନୌ ଏବଂ ନୋଏଡାର ଦୁଇଟି ଘରୋଇ କମ୍ପାନୀ ଉପରେ ଚଢ଼ାଉ କରାଯାଇଛି ବୋଲି ସିବିଆଇ କହିଛି । ଏହାପରେ କମ୍ପାନୀର ନିର୍ଦ୍ଦେଶକ ତଥା ଅନ୍ୟ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ୭୫୪.୨୪ କୋଟି ଟଙ୍କା ଠକେଇ ଅଭିଯୋଗ କରାଯାଇଛି।ବିନୟ ତିୱାରୀ ଗୋରଖପୁରର ହରି ଶଙ୍କର ତିୱାରୀଙ୍କ ପୁଅ। ହରିଶଙ୍କର ମଧ୍ୟ ଜଣେ ପ୍ରଭାବଶାଳୀ ନେତା ଥିଲେ।

ସିବିଆଇ କହିଛି ଯେ , ଗଙ୍ଗୋତ୍ରି ଏଣ୍ଟରପ୍ରାଇଜେସ ରାସ୍ତା, ବ୍ରିଜ୍ ଏବଂ ଫ୍ଲାଏ ଓଭର କାମ କରେ। ଏହି କାମକୁ ନେଇ ୨୦୦୭ ରୁ ୨୦୧୨ ମଧ୍ୟରେ ବ୍ୟାଙ୍କଗୁଡିକରୁ ବିନୟଙ୍କ କମ୍ପାନୀ ୧୧୨୯.୪୪ କୋଟି ଟଙ୍କା ନେଇଥିଲା ଏବଂ ୨୦୧୫ ମସିହାରେ ଏହି ଋଣକୁ ଏନପିଏ ଘୋଷଣା କରାଯାଇଥିଲା। ହେଲେ ଏହି ଟଙ୍କା ଅନ୍ୟ କମ୍ପାନୀକୁ ପଠାଯାଇ ଅପବ୍ୟବହାର କରାଯାଇଥିବା ଜଣାପଡ଼ିଛି। ଏହାକୁ ନେଇ ବିଧାୟକଙ୍କ ଘରେ ଚଢ଼ାଉ କରିଛି ସିବିଆଇ ।