ହାଥରସ୍ ଗଣଦୁଷ୍କର୍ମର ତଦନ୍ତ କରିବ ସିବିଆଇ

ନୂଆଦିଲ୍ଲୀ: ସିବିଆଇ ହାତକୁ ଗଲା ହାଥରସ୍ ଗଣଦୁଷ୍କର୍ମ ଓ ମୃତ୍ୟୁ ଘଟଣା ମାମଲା । ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ସରକାର ନୋଟିସ୍ ଜାରି କରିଛନ୍ତି । ଏଣିକି ଏହି ବିବାଦୀୟ ଓ ଜଘନ୍ୟ ଘଟଣାର ତଦନ୍ତ କରିବ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ।

ତେବେ ପୂର୍ବରୁ ଉତ୍ତରପ୍ରଦେଶ ସରକାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲେ ଏବଂ ଗତ ମଙ୍ଗଳବାର ଦିନ ସୁପ୍ରିମକୋର୍ଟରେ ସିବିଆଇ ତଦନ୍ତ ଲାଗି ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲେ ରାଜ୍ୟ ସରକାର । ଏହାପରେ ହାଥରସ୍ ଗଣଦୁଷ୍କର୍ମ ଓ ମୃତ୍ୟୁ ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇକୁ ଦେଇଛନ୍ତି କେନ୍ଦ୍ର ସରକାର ।କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା କେବଳ ଗଣଦୁଷ୍କର୍ମ ନୁହେଁ ଜାତିବାଦୀ ହିଂସାପାଇଁ ହୋଇଥିବା ଅପରାଧିକ ଷଡ଼ଯନ୍ତ୍ର, ହିଂସାତ୍ମକ କାଣ୍ଡ, ଗଣମାଧ୍ୟମ ଜରିଆରେ ରାଜନୈତିକ ଉଦ୍ଦେଶ୍ୟ ରଖି ଅପପ୍ରଚାର ପ୍ରସଙ୍ଗର ମଧ୍ୟ ତଦନ୍ତ କରିବ ।

ସୂଚନା ଥାଉକି, ଗତ ସେପ୍ଟେମ୍ବର ୨୯ ତାରିଖରେ ଉତ୍ତରପ୍ରଦେଶର ହାଥରସ୍ ରେ ଜଣେ ଦଳିତ ଯୁବତୀ ଗୁରୁତର ଅବସ୍ଥାରେ ଦିଲ୍ଲୀ ସଫଦରଗଞ୍ଜ ହସ୍ପିଟାଲରେ ଆଖିବୁଜି ଥିଲେ । ତାଙ୍କୁ ଗତ ସେପ୍ଟେମ୍ବର ୧୪ ତାରିଖରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା । ଏପରିକି ଅଭିଯୁକ୍ତମାନେ ତାଙ୍କୁ ଗୁରୁତର ଆହତ ମଧ୍ୟ କରିଥିଲେ ଏବଂ ତାଙ୍କର ଜିଭ କାଟି ଦେଇଥିଲେ ।

ଏପରିକି ପରିବାର ଲୋକଙ୍କ ବିନା ସହମତିରେ ଯୁବତୀଙ୍କ ଶବସତ୍କାର କରିଥିଲା ପ୍ରଶାସନ । ତେବେ ଏହି ଘଟଣା ନେଇ ସ୍ଥାନୀୟ ପ୍ରଶାସନ ଓ ପୁଲିସର କାମକୁ ନେଇ ମଧ୍ୟ ଅଭିଯୋଗ ଆସିଥିଲା । ଏହାକୁ ନେଇ ତୀବ୍ର ବିରୋଧ ଆସିବା ପରେ ମୁଖ୍ୟମନ୍ତ୍ରୀ ଏକ ଏସଆଇଟି ଗଠନ କରି ତଦନ୍ତ ନିର୍ଦେଶ ଦେଇଥିଲେ । ଏହା ସହ ଅଭିଯୋଗ ଆସିଥିବା ପୁଲିସ ଅଧିକାରୀଙ୍କୁ ନିଳମ୍ବିତ କରିଥିଲେ ।

ଅନ୍ୟପଟେ ଘଟଣାରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ପୀଡ଼ିତାଙ୍କ ସହ ଗଣଦୁଷ୍କର୍ମ ଭଳି ଅପରାଧ କରିଥିବା ମୁଖ୍ୟ ଅଭିଯୁକ୍ତ ପୂର୍ବରୁ ମଧ୍ୟ ପିଛା କରି ତାଙ୍କ ସହ ଅସଦାଚରଣ କରୁଥିବା ଜଣାପଡ଼ିଛି।

ପୀଡ଼ିତାଙ୍କ ପଡ଼ୋଶୀ ଜାତୀୟ ଗଣମାଧ୍ୟମକୁ ଏ ବିଷୟରେ ଜଣାଇଛନ୍ତି। ଘଟଣାର ମୁଖ୍ୟ ଅଭିଯୁକ୍ତ ସନ୍ଦିପ ପୀଡ଼ିତାଙ୍କ ପିଛା କରିବା ସହ ଅଶାଳୀନ ବ୍ୟବହାର କରୁଥିଲା ବୋଲି ପୀଡ଼ିତାଙ୍କ ପଡ଼ୋଶୀ ଜଣାଇଛନ୍ତି। ପୀଡ଼ିତା ତାଙ୍କ ମା’ଙ୍କ ସହ ବଜାରକୁ ଯାଉଥିବା ବେଳେ ସବୁ ଲୋକଙ୍କ ଆଗରେ ସନ୍ଦିପ ପୀଡ଼ିତାଙ୍କ ହାତ ଧରିଥିଲା, କିନ୍ତୁ କେହି କିଛି କହିନଥିଲେ। ସନ୍ଦିପର ବାପାଙ୍କୁ ମଧ୍ୟ ପୀଡ଼ିତାର ବାପା ସବୁ ଜଣାଇବା ପରେ ଅଭିଯୁକ୍ତକୁ ଘର ଲୋକେ ମାଡ଼ ମାରିଥିଲେ, ଯାହାର କିଛି ଦିନ ପରେ ଏଭଳି ଘଟଣା ଘଟିଥିଲା।