ନୂଆଦିଲ୍ଲୀ: ଜାତୀୟ ରାଜନୀତିର ଜଣାଶୁଣା ବ୍ୟକ୍ତିତ୍ବ ମୋଦି ସରକାରରେ ମନ୍ତ୍ରୀ ଥିବା ରାମବିଳାସ ପାଶୱାନଙ୍କ ପରଲୋକ ହୋଇଛି।ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ହେଲାଣି ସେ ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଏପରି କି ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ହେଲେ ଆଜି ସନ୍ଧ୍ୟାରେ ତାଙ୍କ ଦେହାନ୍ତ ହୋଇଛି।
ସୂଚନା ଅନୁଯାୟୀ, ଶନିବାର ତାଙ୍କ ହାର୍ଟ ସର୍ଜରୀ କରାଯାଇଥିଲା। ରାମ ବିଲାଶ ପାଶ୍ୱାନ ଦୀର୍ଘ ୫ ଦଶନ୍ଧି ଧରି ଭାରତୀୟ ରାଜନୀତିରେ ସକ୍ରିୟ ରହିଥିଲେ। କିଛି ସପ୍ତାହ ହେଲାଣି ସେ ନିୟମିତ ଦିଲ୍ଲୀର ଗୋଟିଏ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେ ଜୁଲାଇ ୧୨ ତାରିଖରେ ହଠାତ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଆର୍ଏମ୍ଏଲ୍ ହସ୍ପିଟାଲ୍ର ଆଇସିୟୁରେ ରଖାଯାଇଥିଲା। ଆଜି ହୃଦ୍ଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ଜନଶକ୍ତି ପାର୍ଟିର ମୁଖ୍ୟ ତଥା ତାଙ୍କ ପୁଅ ତଥା ଲୋକ ଚିରାଗ ପାଶ୍ୱାନ ଟ୍ୱିଟ କରି କହିଛନ୍ତି। ସେ କହିଛନ୍ତି, ପାପା ଏବେ ଆପଣ ଆଉ ଏ ଦୁନିଆରେ ନାହାନ୍ତି। କିନ୍ତୁ ମୁଁ ଜାଣିଛି ଆପଣ ଯୋଉଠି ଥିବେ ମୋ ସହ ରହିଥିବେ। ଆଇ ମିସ୍ ୟୁ ପାପା।
ତାଙ୍କ ମୃତ୍ୟୁକୁ ନେଇ ପୂର୍ଣ୍ଣଛେଦ ପଡ଼ିଛି ପାଞ୍ଚଦଶନ୍ଧିର ଘଟଣାବହୁଳ ରାଜନୈତିକ ଜୀବନରେ। ବିହାରରୁ ରାଜନୈତିକ ଜୀବନ ଆରମ୍ଭ କରିଥିବା ସମାଜବାଦୀ ନେତା ପାଶୱାନ୍ ଦିଲ୍ଲୀ ଦରବାରରେ ମଧ୍ୟ ନିଜର ସୃଷ୍ଟି କରିଥିଲେ ଏକ ଭିନ୍ନ ପରିଚୟ। ୭୦ ଦଶକରେ ରାଜନୀତିରେ ପ୍ରବେଶ କରି ଜୟପ୍ରକାଶ ନାରାୟଣଙ୍କ ଧାରାରେ ନିଜକୁ ପରିଚାଳିତ କରିଥିଲେ ଯୁବକ ରାମବିଳାସ। ୧୯୭୫ରେ ଜରୁରୀ ପରିସ୍ଥିତିକୁ ବିରୋଧ କରି ଜେଲ ବି ଯାଇଥିଲେ। ଏହାପରଠାରୁ ସଂଗ୍ରାମୀ ନେତା ଭାବେ ଆତ୍ମପ୍ରକାଶ କରିଥିଲେ ସେ।
ରାମବିଳାସ ପାଶୱାନ୍ ୧୯୪୬ ମସିହା ଜୁଲାଇ ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ। ‘ସଂଯୁକ୍ତ ସୋସାଲିଷ୍ଟ୍ ପାର୍ଟି’ର ଜଣେ ସଦସ୍ୟ ଭାବେ ନିଜର ରାଜନୈତିକ କ୍ୟାରିଅର୍ ଆରମ୍ଭ କରି ୧୯୬୯ ମସିହାରେ ସେ ବିହାର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୭୪ରେ ଲୋକ ଦଳ ଗଠନ ହେଲା ଏବଂ ପାଶୱାନ ସେଥିରେ ଯୋଗ ଦେଇ ତା’ର ସାଧାରଣ ସମ୍ପାଦକ ହୋଇଥିଲେ। ହାଜିପୁର ନିର୍ବାଚନ ମଣ୍ଡଳିରୁ ଜନତା ପାର୍ଟିର ସଦସ୍ୟ ଭାବେ ସେ ୧୯୭୭ ମସିହାରେ ଲୋକସଭାରେ ପ୍ରବେଶ କରିଥିଲେ। ଏହାପରେ ୧୯୮୦, ୧୯୮୯, ୧୯୯୬, ୧୯୯୮, ୧୯୯୯, ୨୦୦୪ ଏବଂ ୨୦୧୪ରେ ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ ଲୋକସଭା ନିର୍ବାଚନରେ ହାରିବା ପରେ ସେ ୨୦୧୦ରୁ ୨୦୧୪ ପର୍ଯ୍ୟନ୍ତ ରାଜ୍ୟସଭା ସଦସ୍ୟ ହୋଇଥିଲେ। ପୁନଶ୍ଚ ୨୦୧୪ରେ ଷୋଡ଼ଶ ଲୋକସଭା ନିର୍ବାଚନରେ ସେ ହାଜିପୁର ନିର୍ବାଚନ ମଣ୍ଡଳିରୁ ନିର୍ବାଚିତ ହୋଇଥିଲେ।
୨୦୦୦ରେ ପାଶୱାନ ଲୋକ ଜନଶକ୍ତି ପାର୍ଟି ଗଠନ କରି ଏହାର ଅଧ୍ୟକ୍ଷ ହୋଇଥିଲେ। ୨୦୦୪ରେ ସେ ଶାସକ ‘ୟୁନାଇଟେଡ୍ ପ୍ରୋଗ୍ରେସିଭ୍ ଆଲିଏନ୍ସ୍’ ସରକାରରେ ଯୋଗ ଦେଇ ରାସାୟନ ଓ ସାର ମନ୍ତ୍ରାଳୟ ଏବଂ ଇସ୍ପାତ ମନ୍ତ୍ରାଳୟରେ କେନ୍ଦ୍ରମନ୍ତ୍ରୀ ଭାବେ ଅବସ୍ଥାପିତ ହୋଇଥିଲେ। ଏହାପରେ ସେ ବିଜେପି ନେତୃତ୍ବାଧୀନ ଏନଡିଏରେ ଯୋଗ ଦେଇଥିଲେ। ଚଳିତ କେନ୍ଦ୍ର ସରକାରରେ ସେ ଖାଦ୍ୟ, ଯୋଗାଣ ଓ ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ଥିଲେ।
୧୯୭୫ ମସିହାରେ ଭାରତରେ ଜରୁରୀ ପରିସ୍ଥିତି ଜାରି ହେବା ପରେ ପାଶୱାନ ଗିରଫ ହୋଇ ଜେଲ୍ ଯାଇଥିଲେ। ୧୯୭୭ରେ ଜେଲ୍ରୁ ମୁକୁଳିବା ପରେ ସେ ଜନତା ପାର୍ଟିରେ ଯୋଗ ଦେଇଥିଲେ।