କିଙ୍ଗସ୍‌ ଇଲେଭେନ ପଞ୍ଜାବକୁ ୬୯ ରନ୍‌ରେ ପରାସ୍ତ କଲା ସନରାଇଜର୍ସ ହାଇଦ୍ରାବାଦ

ଭୁବନେଶ୍ବର (ଏସ୍ ନ୍ଯୁଜ ): ଚଳିତ ଆଇପିଏଲରେ ଦୁବାଇଠାରେ  ଖେଳା ଯାଇଥିବା ୨୨ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ( ଏସଆରଏଚ ) ୬୯ ରନରେ କିଙ୍ଗ୍ସ ଏକାଦଶ ପଞ୍ଜାବ ( କେଏକ୍ସଆଇପି )କୁ ହରାଇ ଦେଇଛି। ଦ୍ବିତୀୟ ପାଳିରେ ପଞ୍ଜାବ ୨୦୨ ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା କରି ୧୬.୫ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୧୩୨ ରନ୍‌ କରି ପରାଜୟ ବରଣ କରିଛି ।

ଏହି ବିଜୟ ସହ ୬ ପଏଣ୍ଟ ହାସଲ କରିଥିବା ଏସଆରଏଚ ପଏଣ୍ଟ ଟେବୁଲରେ ୩ୟ  ସ୍ଥାନକୁ ଉଠିଛି । ବିଜୟୀ ହାଇଦ୍ରାବାଦ ଦଳର ଜନ୍ନି ବେଆରଷ୍ଟୋ ଅଳ୍ପକେ ଶତକରୁ ବଞ୍ଚିତ ହୋଇଥିଲେ । ପୂରା ମ୍ୟାଚରେ ବେଆରଷ୍ଟୋ ଓ ପଞ୍ଜାବ ଦଳର ନିକୋଲାଶ ପୁରାନଙ୍କ ଠୁ ଦେଖିବାକୁ ମିଳିଥିଲା ଛକାର ବର୍ଷା । ଏହା ଥିଲା ଗୁରୁବାର ଅନୁଷ୍ଠିତ ମ୍ୟାଚର ଏଭଳି କିଛି ଉଲ୍ଲେଖନିୟ ଘଟଣା ।

ପୂର୍ବ ମ୍ୟାଚ ଭଳି ଏଥର ମଧ୍ୟ ଟସ ଜିତି ହାଇଦ୍ରାବାଦ ଅଧିନାୟକ ଡେଭିଡ ୱାର୍ନର  ନେଇଥିଲେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି। ଏହାପରେ ଆରମ୍ଭ ହୋଇଥିଲା ୱାର୍ନର ଓ ବେଆରଷ୍ଟୋଙ୍କ ବ୍ୟାଟିଂ ଶୋ । ଦୁହେଁ ୧୫ ଓଭରରେ ୧୬୦ ରନ ପିଟିଥିଲେ । ଦୁଇ ଓପନରଙ୍କ ଠାରୁ  ଏସଆରଏଚ ଯେଉଁ ଅପେକ୍ଷା କରିଥିଲା , ତାହାର ଅନ୍ତ ହୋଇଛି । ଦୁହିଁଙ୍କ ଏତେ ଭଲ ବ୍ୟାଟିଂ ସତ୍ତ୍ୱେ ଏସଆରଏଚ ପୂରା ୨୦ ଓଭରରେ ୬ ଉଇକେଟ ହରାଇ ୨୦୧ ରନ କରିବାକୁ ସକ୍ଷମ ହୋଇଥିଲା । ୱାର୍ନର (୫୨) ଆଇପିଏଲ କ୍ୟାରିଅରର ୫୦ ତମ ଅର୍ଦ୍ଧ ଶତକ ପୂରଣ କରିଛନ୍ତି । ବେଆରଷ୍ଟୋ ୫୫ ବଲରେ ୭ ଚଉକା ଓ  ୬ ଛକା  ସହାୟତାରେ ୯୭ ରନର ବିସ୍ଫୋରକ ପାଳି ଖେଳିଥିଲେ ।

ଏମାନଙ୍କ ବ୍ୟତୀତ କେନ ଉଇଲିୟମସନ ଖେଳିଥିଲେ  ୨୦ ରନର ଉପଯୋଗୀ ପାଳି । ପଞ୍ଜାବ ପକ୍ଷରୁ ବୋଲିଂରେ ରବି ବିଷ୍ଣୋଇ ୩ ଓ ପଦାର୍ପଣ କରିଥିବା ଅର୍ଶଦୀପ ସିଂ ୨ ଉଇକେଟ ନେଇଥିଲେ । ଜବାବରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖରେ ପୂରନଙ୍କୁ ଛାଡି ଦେଲେ ତିଷ୍ଠି ପାରି ନ ଥିଲେ ଅନ୍ୟ କୋଣସି ବ୍ୟାଟ୍ସମ୍ୟାନ ।

ଚଳିତ ସିଜନରେ ଏ ପର୍ଯ୍ୟନ୍ତ ବିଫଳ ହୋଇଥିବା ପୂରନ ୩୭ ବଲରେ ଖେଳିଥିଲେ ୭୭ ରନର ଏକ ଦର୍ଶନୀୟ ଇନିଂସ । ତାଙ୍କ ପାଳିରେ ଥିଲା ୭ ଛକା ଓ ୫ ଚଉକା । ସେ ଆଉଟ ହେବା ପରେ ପଞ୍ଜାବକୁ ଅଲଆଉଟ ହେବାକୁ ବେଶି ସମୟ ଲାଗି ନ ଥିଲା । କିଙ୍ଗ୍ସ ଏକାଦଶ ପଞ୍ଜାବ ୧୬ .୫ ଓଭରରେ ୧୩୨ ରନରେ ସୀମିତ ରହିଥିଲା। ବିଜୟୀ ଦଳ ପାଇଁ ରଶିଦ ଖାନ ସର୍ବାଧିକ ୩ ଉଇକେଟ ନେଇଥିବା ବେଳେ ଟି . ନଟରାଜନ ଓ ଖଲିଲ ଅହମ୍ମଦ ହାତେଇ ଥିଲେ ୨ ଲେଖାଏଁ ଉଇକେଟ ।