ଟସ୍ ଜିତି ହାଇଦ୍ରାବାଦର ବ୍ୟାଟିଂ ନିଷ୍ପତ୍ତି

ଦୁବାଇ: ଆଜି କିଙ୍ଗ୍ସ ଏକାଦଶ ପଞ୍ଜାବ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ ଚଳିତ ଆଇପିଏଲର 22 ନଂ ମ୍ୟାଚ୍। ନିକଟରେ ଖେଳିଥିବା ଶେଷ ମ୍ୟାଚ୍ ଉଭୟ ଦଳ ହାରିଥିବା ବେଳେ ଆଜିର ମୁକାବିଲା ବେଶ ରୋଚକପୂର୍ଣ୍ଣ ହେବା ଆଶା। ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ଏସଆରଏଚ ଅଧିନାୟକ ଡେଭିଡ଼୍ ୱାର୍ଣ୍ଣର।

ବର୍ତ୍ତମାନ ପଏଣ୍ଟ ଟେବୁଲର 6 ନଂ ସ୍ଥାନରେ ରହିଛି ହାଇଦ୍ରାବାଦ। ଅନ୍ୟପଟେ ସବା ଶେଷରେ 8 ନଂ ସ୍ଥାନରେ ରହିଛି ପଞ୍ଜାବ। ଏଯାଏଁ ମୋଟ 5ଟି ମ୍ୟାଚ୍ ଖେଳି 2ଟି ଜିତିଛି ଏସଆରଏଚ। ହେଲେ ଦଳୀୟ ବ୍ୟାଟ୍ସମ୍ୟାନଙ୍କ ଭଲ ଫର୍ମ ସାଙ୍ଗକୁ ଜବରଦସ୍ତ ପ୍ରଦର୍ଶନ ସତ୍ତ୍ୱେ ଖେଳିଥିବା ମୋଟ 5ଟି ମ୍ୟାଚରୁ ମାତ୍ର ଗୋଟିଏ ଜିତିବାକୁ ସକ୍ଷମ ହୋଇଛି ପଞ୍ଜାବ।

ଦୁଇ ଦଳର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନଙ୍କ ଉପରେ ମ୍ୟାଚ୍ ଅଧିକାଂଶ ନିର୍ଭର କରୁଛି। ପଞ୍ଜାବର ରାହୁଲ-ମୟଙ୍କ ଯୋଡ଼ି ଏବଂ ହାଇଦ୍ରାବାଦର ୱାର୍ଣ୍ଣର-ବେୟାରଷ୍ଟୋ ଯୋଡ଼ିର ପ୍ରଦର୍ଶନ ହିଁ ମ୍ୟାଚ ନିର୍ଣ୍ଣୟ କରିବ। ତେବେ ହାଇଦ୍ରାବାଦ ଅପେକ୍ଷା ପଞ୍ଜାବର ମଧ୍ୟକ୍ରମ ବ୍ୟାଟିଂ ମ୍ୟାକ୍ସୱେଲ ଏବଂ ପୁରନଙ୍କ ଯୋଗୁଁ ମଜବୁତ ଅଛି। ହେଲେ ଯୁବ ବ୍ୟାଟ୍ସମ୍ୟାନ ପ୍ରିୟମ ଗର୍ଗ ଏବଂ ଅଭିଷେକ ଶର୍ମା ନିକଟରେ ଭଲ ରନ୍ ସ୍କୋର କରିଥିବାରୁ ଦଳ ପଞ୍ଜାବକୁ କଡ଼ା ଟକ୍କର ଦେବା ଆଶା କରାଯାଉଛି।