ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀଠାରେ ପ୍ରଦୂଷଣ ସମସ୍ୟାର ମୁକାବିଲା କରିବାକୁ କେନ୍ଦ୍ର ସରକାର ଏକ ଅର୍ଡିନାନ୍ସ ମାଧ୍ୟମରେ ନୂତନ ଆଇନ୍ ଆଣିଛନ୍ତି । ନିୟମକୁ ଉଲ୍ଲଂଘନ କଲେ ପ୍ରଦୂଷଣକାରୀଙ୍କୁ ୧ କୋଟି ଜରିମାନା କିମ୍ବା ୫ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡାଦେଶ ହୋଇପାରେ ବୋଲି ଏଥିରେ ଦର୍ଶାଯାଇଛି।

ତେବେ ଦିଲ୍ଳୀ ଏନ୍ସିଆର୍ ଏବଂ ଏହାର ଆଖପାଖ ଅଞ୍ଚଳରେ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏକ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ କେନ୍ଦ୍ର ସରକାର ଅକ୍ଟୋବର ୨୯ ତାରିଖରେ ଦିଲ୍ଲୀ-ଏନସିଆର ସକାଶେ ବାୟୁ ଗୁଣବତ୍ତା ପରିଚାଳନା ପାଇଁ ଏକ ଆୟୋଗ ଗଠନ କରି ସାରିଛନ୍ତି। ଯାହା ପ୍ରଦୂଷଣକାରୀ ତଥା ଯେଉଁମାନେ ଏହାର ଆଦେଶ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିବାକୁ କ୍ଷମତା ପ୍ରଦାନ କରିଛି।୨୦ ଜଣ ସଦସ୍ୟ ବିଶିଷ୍ଟ ଏହି ସ୍ଥାୟୀ ଆୟୋଗର ଦିଲ୍ଲୀରେ ବାୟୁର ଗୁଣବତ୍ତା ଉପରେ ନଜର ରହିବ।
ଏହାଛଡ଼ା ବାୟୁ ପ୍ରଦୂଷଣ ସ୍ତରକୁ ନିୟନ୍ତ୍ରଣ କରିବା ପାଇଁ ଆୟୋଗ ସମସ୍ତ ପ୍ରକାରର ଉଦ୍ୟମ ଜାରି ରଖିବ।ଖାଲି ସେତିକି ନୁହେଁ, ଆୟୋଗ ପକ୍ଷରୁ ସଂସଦରେ ବାର୍ଷିକ ରିପୋର୍ଟ ମଧ୍ୟ ଦାଖଲ କରାଯିବ। ଏପରିକି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି କମିଟି ଗଠନ ପାଇଁ ଏକ କାର୍ଯ୍ୟନିର୍ବାହୀ ଆଦେଶରେ ଦସ୍ତଖତ କରିସାରିଛନ୍ତି।
ସୂଚନାଥାଉକି ,ବାୟୁ ପ୍ରଦୂଷଣକୁ ହ୍ରାସ କରିବାରେ ସହାୟତା କରିବାକୁ ଅକ୍ଟୋବର ୧୫ରେ ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନସିଆର)ରେ ଗ୍ରେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ (ଜିଆର୍ଏପି) କାର୍ଯ୍ୟକାରୀ କରାଯାଇଥିଲା।

ଏହାପୂର୍ବରୁ ପଞ୍ଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶରେ ଏନସିଆରର ବାୟୁ ପ୍ରଦୂଷଣ ସମସ୍ୟାର ମୁକାବିଲା ପାଇଁ ଆଇନ ମାଧ୍ୟମରେ ଏକ ସ୍ଥାୟୀ ସଂସ୍ଥା ଗଠନ କରିବାକୁ ଚିନ୍ତା କରୁଥିବା କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ସୂଚନା ଦେଇଥିଲେ।