କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି : ଝୋଟ ବସ୍ତାରେ ହେବ ଖାଦ୍ୟ ଶସ୍ୟ ଓ ଚିନିର ବାଧ୍ୟତାମୂଳକ ପ୍ୟାକେଜିଂ
ଭାରତ ସରକାର ଝୋଟ ବର୍ଷ ୨୦୨୨-୨୩ ଲାଗି ଚାଉଳ …
ଝୋଟ ଉଦ୍ୟୋଗ ଭାରତର ରାଷ୍ଟ୍ରୀୟ ଅର୍ଥବ୍ୟବସ୍ଥାରେ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଗ୍ରହଣ କରିଥାଏ। ବିଶେଷ କରି ପଶ୍ଚିମବଙ୍ଗରେ ୭୫ଟି ଝୋଟ କଳ ଚାଲିଥାଏ। ଏଥିରେ ଲକ୍ଷ ଲକ୍ଷ ଶ୍ରମିକ ଜୀବିକା ଅର୍ଜନ କରିଥାନ୍ତି। ଏବେ ସରକାର ନେଇଥିବା ନିଷ୍ପତ୍ତି ଝୋଟ କ୍ଷେତ୍ରରେ ନିୟୋଜିତ ପ୍ରାୟ ୪୦ ଲକ୍ଷ ଚାଷୀ ପରିବାରଙ୍କୁ ସହାୟତା କରିବ। ଏହାଦ୍ବାରା ଓଡ଼ିଶା, ବିହାର, ଆସାମ, ତ୍ରିପୁରା, ମେଘାଳୟ, ଆନ୍ଧ୍ର ପ୍ରଦେଶ ଓ ତେଲଙ୍ଗାନାରେ ଝୋଟ କ୍ଷେତ୍ରକୁ ମଧ୍ୟ ସହାୟତା ମିଳିପାରିବ।
ଝୋଟ ପ୍ୟାକେଜିଂ ସାମଗ୍ରୀ-ଜେପିଏମ ଆଇନ ଅଧୀନରେ ସଂରକ୍ଷଣ ମାନଦଣ୍ଡ ୩.୭୦ ଲକ୍ଷ ଶ୍ରମିକଙ୍କୁ ସିଧାସଳଖ ରୋଜଗାର ପ୍ରଦାନ କରିବା ସହିତ ୪୦ ଲକ୍ଷ ଚାଷୀ ପରିବାରଙ୍କ ହିତ ରକ୍ଷା କରିଥାଏ। ଜେପିଏମ ଆଇନ, ୧୯୮୭ ଝୋଟ ଚାଷୀ, ଶ୍ରମିକ ଓ ଝୋଟ ସାମଗ୍ରୀ ଉତ୍ପାଦନରେ ଲାଗିଥିବା ଲୋକମାନଙ୍କର ସ୍ବାର୍ଥ ରକ୍ଷା କରିଥାଏ। ଝୋଟ ଉଦ୍ୟୋଗରେ ମୋଟ ଉତ୍ପାଦନର ୭୫ ପ୍ରତିଶତ ଝୋଟ ବସ୍ତା ହୋଇଥାଏ। ଏଥିମଧ୍ୟରୁ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଓ ରାଜ୍ୟ କ୍ରୟ ଏଜେନ୍ସି (ଏସପିଏଏସ)କୁ ୮୫ ପ୍ରତିଶତ ଯୋଗାଣ କରାଯାଇଥାଏ। ଅବଶିଷ୍ଟକୁ ସିଧାସଳଖ ରପ୍ତାନି କରାଯାଇଥାଏ କିମ୍ବା ବିକ୍ରି କରାଯାଏ।
ସରକାର ପ୍ରତ୍ୟେକ ବର୍ଷ ଖାଦ୍ୟଶସ୍ୟ ପ୍ୟାକେଜିଂ ନିମନ୍ତେ ପ୍ରାୟ ୯,୦୦୦ କୋଟି ଟଙ୍କାର ଝୋଟ ବସ୍ତା କିଣିଥାନ୍ତି। ଏହାଦ୍ବାରା ଝୋଟ ଚାଷୀ, ଶ୍ରମିକମାନଙ୍କ ଉତ୍ପାଦ ବିକ୍ରି ଲାଗି ଗ୍ୟାରେଣ୍ଟିଯୁକ୍ତ ବଜାର ସୁବିଧା ସୁନିଶ୍ଚିତ ହୋଇଥାଏ ।
ହାରାହାରୀ ୩୦ ଲକ୍ଷ ବେଲ୍ (୯ଲକ୍ଷ ମେଟ୍ରିକ ଟନ) ଝୋଟ ବସ୍ତା ଉତ୍ପାଦନ ହେଉଥିବା ବେଳେ ଝୋଟ ଚାଷୀ, ଶ୍ରମିକ ଓ ଝୋଟ ଉଦ୍ୟୋଗରେ ନିୟୋଜିତ ଲୋକମାନଙ୍କ ହିତ ରକ୍ଷା ନିମନ୍ତେ ସରକାର ସବୁ ଝୋଟ ବସ୍ତା କିଣିବାକୁ ସଂକଳ୍ପବଦ୍ଧ ଅଛନ୍ତି।
ଏବେ ସଂରକ୍ଷଣ ମାନଦଣ୍ଡ ଭାରତର କଞ୍ଚା ଝୋଟ ଏବଂ ଝୋଟ ପ୍ୟାକେଜିଂ ସାମଗ୍ରୀର ଘରୋଇ ଉତ୍ପାଦନକୁ ପ୍ରୋତ୍ସାହନ ଦେବ, ଯାହାଫଳରେ ଦେଶ ଆତ୍ମନିର୍ଭର ଭାରତର ପରିକଳ୍ପନା ଅନୁରୂପ ସ୍ବାବଲମ୍ବୀ ହୋଇପାରିବ। ଏହା ପରିବେଶ ସୁରକ୍ଷା କ୍ଷେତ୍ରରେ ମଧ୍ୟ ଯୋଗଦାନ ଦେଇପାରିବ କାରଣ ଝୋଟ ଏକ ପ୍ରାକୃତିକ, ଜୈବ-କ୍ଷୟଯୋଗ୍ୟ, ନବୀକରଣଯୋଗ୍ୟ ଏବଂ ପୁନଃବ୍ୟବହାର ଯୋଗ୍ୟ ଫାଇବର ହୋଇଥିବାରୁ ଏହା ସମସ୍ତ ଦୀର୍ଘସ୍ଥାୟିତ୍ବ ମାପଦଣ୍ଡକୁ ପୂରଣ କରିଥାଏ।