୫ଟି ରାଜ୍ୟରେ ଚମକିଲାନି ଆପ୍
ଭୁବନେଶ୍ୱର: ବେଶ କିଛିଦିନ ଧରି ଆମ୍ ଆଦ୍ମୀ ପାର୍ଟି ଭାରି ଚଳଚଚଂଳ ଥିଲା । ଜାତୀୟ ଦଳ ମାନ୍ୟତା ପାଇବା ପରେ ଲୋକସଭାର ସବୁ ଆସନରେ ଲଢ଼ିବା ପାଇଁ ଆପ୍ ଏକପ୍ରକାର ମନସ୍ଥ କରିଥିଲା । ତେଣୁ ତୃତୀୟ ସାମ୍ମୁଖ୍ୟ ଆଡକୁ ଢଳୁଥିଲେ ଅରବିନ୍ଦ କେଜ୍ରିୱାଲ । କିନ୍ତୁ ଅରବିନ୍ଦଙ୍କ ହାତଗୋଡ଼ ଛେଦନ କରି ଦିଆଯିବା ଫଳରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ ଆପ୍ ସେଭଳି କିଛି ଦମ୍ ଦେଖାଇ ପାରିଲାନି ।
ଦିଲ୍ଲୀ ଅବକାରୀ ନୀତିରେ ଅଭିଯୁକ୍ତ ହୋଇ ଆପ୍ ନେତା ମନିଷ ସିସୋଦିୟା ଓ ସଂଜୟ ସିଂ ଜେଲକୁ ଯିବା ପରେ ଅରବିନ୍ଦଙ୍କ ସାହସ ଭାଙ୍ଗି ଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାୟାଜାଲରୁ ଖସି ଲୋକସଭା ନିର୍ବାଚନରେ ଲଢ଼ିବା ଅସମ୍ଭବ ବୋଲି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଜାଣି ସାରିଲେଣି ।
ରାଜ୍ୟର ଆପ୍ ନେତା ଓ କର୍ମୀମାନେ ବିଜେଡି ମୁଖିଆ ଓ ତାଙ୍କ କାର୍ପଟଦାରଙ୍କ ନିକଟରେ ଅଧିଆ ପଡ଼ି ସାରିଲେଣି । ଦଳକୁ ବଂଚାଇବାକୁ ହେଲେ ନିଜକୁ ବଂଚାଇବାକୁ ହେବ; ସେହି ନୀତିରେ ଆପ୍ ନେତା ନିଶିକାନ୍ତ ଓ ତାଙ୍କ ଚେଲାଚାମୁଣ୍ଡାମାନେ ପୁରା ନିରବ ।
ଭଲ ହେଲା, ବେଶ କିଛିଦିନ ପାଇଁ ରାସ୍ତାଘାଟରେ ଝାଡୁ ବୁଲିବା ବନ୍ଦ ହୋଇଗଲା । ପୂର୍ବରୁ ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି, ରାଷ୍ଟ୍ରୀୟ ଜନତା ଦଳ ଭଳି ଦଳଗୁଡ଼ିକ ଓଡ଼ିଶାକୁ ଆସି ଏବେ ଛୋଟଛୋଟ କ୍ୟାବିନ ଖୋଲି ବସିଛନ୍ତି । ଏବେ ସେହିମାନଙ୍କ ତାଲିକାରେ ଆପ୍ ସାମିଲ ହୋଇଗଲା ।