ବ୍ୟାଙ୍କ ଜାଲିଆତି ପଛରେ କର୍ମଚାରୀମାନେ ଦାୟୀ

ଭୁବନେଶ୍ୱର: ବ୍ୟାଙ୍କ ମ୍ୟାନେଜର ଅବା କର୍ମଚାରୀଙ୍କ ବିନା ସହଯୋଗରେ କୌଣସି ସାଧାରଣ ଲୋକ ବ୍ୟାଙ୍କରୁ ଟଙ୍କାଟିଏ ଉଠାଇ ପାରିବନି । ଏହି କଥା ରିଜର୍ଭ ବ୍ୟାଙ୍କ ଜାଣିଛି ମାତ୍ର ବାଣିଜ୍ୟିକ ବ୍ୟାଙ୍କ ଓ ତା’ର ଦୁର୍ନୀତିଗ୍ରସ୍ତ କର୍ମଚାରୀ ପ୍ରତି ଉଦାର ମନୋଭାବ ପୋଷଣ କରିଆସୁଛି । କିନ୍ତୁ ବିଲେଇ ଆଖି ବୁଜି କ୍ଷୀର ପିଇବାର ଗୁଣ ଯୋଉ ଲୋକ ପାଖରେ ଥାଏ, ତାହା ଦିନେ ନା ଦିନେ ଧରା ପଡ଼ିଯାଏ ।

ବ୍ୟାଙ୍କ ହିତାଧିକାରୀଙ୍କ ନାମରେ କୋଟିକୋଟି ଟଙ୍କା ଆତ୍ମସାତ୍‌ କରି ଧରା ପଡ଼ିଛନ୍ତି ଏକାଧିକ ସେଂଟ୍ରାଲ ବ୍ୟାଙ୍କ କର୍ମଚାରୀ । କ୍ରାଇମ୍‌ ବ୍ରାଂଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଅଭିଯୁକ୍ତ ବ୍ୟାଙ୍କ କର୍ମଚାରୀ ଡମ୍ବରୁଧର ନାୟକ ଓ ଦେବୀଦତ ପ୍ରାଣିଗ୍ରାହୀଙ୍କୁ ଗିରଫ କରିଛି ।

ସୂଚନା ମୁତାବକ, ଗତ ୨୦୧୫ ମସିହାରେ ଡମ୍ବରୁଧର ଓ ଦେବୀଦତ କଟକ ଭଦ୍ରେଶ୍ୱର ବ୍ରାଂଚରେ କାର୍ଯ୍ୟ କରୁଥିବା ସମୟରେ ବ୍ୟାଙ୍କ ଲୁଟ ପାଇଁ ଯୋଜନା କରିଥିଲେ । ଜାଲ କାଗଜପତ୍ର ବଳରେ ୬୮ ଜଣ ହିତାଧିକାରୀଙ୍କ ନାମରେ କିଷାନ୍‌ କ୍ରେଡିଟ୍‌ କାର୍ଡ ତିଆରି କରିଥିଲେ । କିଷାନ୍‌ କ୍ରେଡିଟ୍‌ କାର୍ଡ ଆକାଉଂଟ ଜରିଆରେ ବ୍ୟାଙ୍କରୁ ୮୫ ଲକ୍ଷ ୪୯ ହଜାର ୯୪୧ ଟଙ୍କା ଓ ଟର୍ମ ଲୋନ୍‌ ଆଳରେ ୧ କୋଟି ୪୯ ଲକ୍ଷ ୧୮ ହଜାର ଟଙ୍କା, ପିଏମଇଜିପି ଯୋଜନାରେ ୮ ଜଣଙ୍କ ନାମରେ ୧୫ ଲକ୍ଷ ୬୦ ହଜାର ଓ ୧୧୪ ଜଣଙ୍କ ନାମରେ ୮୩ ଲକ୍ଷ ୨୪ ହଜାର ଟଙ୍କା ହଡ଼ପ କରିଥିଲେ । ବ୍ୟାଙ୍କର ଅନ୍ୟ କର୍ମଚାରୀମାନେ ଏ କେଳେଙ୍କାରୀର ଟେର ପାଇଲେନି । ୨୦୧୫ରୁ ୨୦୧୮ ମଧ୍ୟରେ ୩ କୋଟି ୩୩ ଲକ୍ଷ ନେଇ ଯାଇଥିଲେ ।

ଅଡିଟ୍‌ ସମୟରେ କଥା ପଦାକୁ ଆସିଲା । ସଂପୃକ୍ତ ବ୍ୟାଙ୍କର ଆଂଚଳିକ ମୁଖ୍ୟ   ଅନାଦି ବିଶ୍ୱାସ ଇଓଡବ୍ଲ୍ୟୁ ନିକଟରେ ଅଭିଯୋଗ କରିଥିଲେ ।

ତଦନ୍ତ ରିପୋର୍ଟ ଆଧାରରେ ଇଓଡବ୍ଲ୍ୟୁ ଡମ୍ବରୁଧର ଓ ଦେବୀଦତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।