ଜୁଲାଇ ମଧ୍ୟଭାଗରେ ଚନ୍ଦ୍ରଯାନ-୩ ଅଭିଯାନ

ଆସନ୍ତା ଜୁଲାଇ ମାସର ମଧ୍ୟଭାଗରେ ଚନ୍ଦ୍ରଯାନ-୩ ମହାକାଶକୁ ଯାତ୍ରା କରିବ ବୋଲି ବୁଧବାର ଇଣ୍ଡିଆନ ସ୍ପେଶ ରିସର୍ଚ୍ଚ ଅର୍ଗାନାଇଜେସନ୍‌ (ଇସ୍ରୋ) ଅଧ୍ୟକ୍ଷ ଏସ୍‌ ସୋମନାଥ ଜଣାଇଛନ୍ତି।

ସୋମନାଥଙ୍କ ସୂଚନା ମୁତାବକ ଚନ୍ଦ୍ରଯାନ-୩ ମହାକାଶ ଯାନର ନିର୍ମାଣ କାମ ସରିଯାଇଛି। ମହାକାଶ ଯାନଟିର ପ୍ରତ୍ୟେକ ଅଂଶକୁ ଟିକିନିଖି ପରୀକ୍ଷଣ କରାଯାଉଛି । ଜୁଲାଇ ୧୨ ତାରିଖରୁ ୧୯ ତାରିଖ ଭିତରେ ଉପଗ୍ରହଟିକୁ ଛଡ଼ାଯିବାର ଯୋଜନା ରହିଛି।

ମହାକାଶ ଯାନଟିର ପୁନଃ ଯାଂଚ ସରିବା ପରେ ନିର୍ଦ୍ଧାରିତ ତାରିଖ ଘୋଷଣା କରାଯିବ। ଚନ୍ଦ୍ରଯାନ-୨ର ସଫଳ ଅଭିଯାନରୁ ଯାହା ବାଦ ପଡ଼ିଛି, ତାହା ଚନ୍ଦ୍ରଯାନ-୩ ପୂରଣ କରିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।