ନୂଆଦିଲ୍ଲୀ : ଆଜି ଭାରତୀୟ ସେନା ଜଣେ ଚୀନ ସୈନିକକୁ ଗିରଫ କରିଛି । ସୈନିକ ଚୀନର ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ)ର ୬ଷ୍ଠ ମୋଟରାଇଜଡ୍ ଇନଫାଣ୍ଟି୍ର ଡିଭିଜନର ସଦସ୍ୟ ବୋଲି ଜଣାପଡିଛି । ଲଦାଖରେ ଭାରତ ଓ ଚୀନ ସେନା ଗତ ପ୍ରାୟ ୬ ମାସ ହେଲା ମୁହାଁମୁହିଁ ପରିସ୍ଥିତିରେ ରହିଛନ୍ତି।
ଭାରତୀୟ ସେନାର ସୂଚନା ଅନୂସାରେ ଗିରଫ ସୈନିକକୁ ଲଦାଖର ଡେମଚୋକ ଅଂଚଳରୁ ଗିରଫ କରାଯାଇଛି । ତଲାସୀ ବେଳେ ତା ନିକଟରୁ ସେନା ଓ ବ୍ୟକ୍ତିଗତ କାଗଜପତ୍ର ମିଳିଥିବା ଜଣାପଡିଛି । ସେ ନିଜର ୟାକ୍ (ଚମରୀ ଗାଈ) ସନ୍ଧାନରେ ଭାରତକୁ ଆସିଥିବା କହୁଛି । ଅନ୍ୟପକ୍ଷରେ ସେ ଚୀନର ଜଣେ ଗୁଇନ୍ଦା କି ନା, ସେ ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି । ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ସେ ଅଜାଣତରେ ସୀମା ଏପଟକୁ ପଳାଇଆସିଥିଲା ।ତେବେ ଗିରଫ ସୈନିକର ନାମ କର୍ପୋରାଲ ୱାଙ୍ଗ ୟା ଲଙ୍ଗ । ତାକୁ ଖାଦ୍ୟ ଓ ଶୀତବସ୍ତ୍ର ପ୍ରଦାନ କରାଯାଇଛି । ଆବଶ୍ୟକ ପ୍ରକ୍ରିୟା ପରେ ତାକୁ ଚୀନର ପିଏଲଏକୁ ହସ୍ତାନ୍ତର କରାଯିବ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ଜୁନ ୧୫ ରେ ଗଲୱାନରେ ଉଭୟ ଭାରତ ଓ ଚୀନ ସେନା ମଧ୍ୟରେ ସଂଘର୍ଷ ଘଟି ୨୦ ଭାରତୀୟ ଯବାନ ସହିଦ ହୋଇଥିଲେ । ଏଥିରେ ଚୀନର ମଧ୍ୟ ସୈନିକ ନିହତ ହୋଇଥିଲେ ମଧ୍ୟ ମୃତକଙ୍କ ସଂଖ୍ୟା ପ୍ରକାଶ କରାଯାଇନାହିଁ ।