ଦୁର୍ଗାମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ: ୯ ପୂଜା କମିଟିକୁ ମିଳିଲା ଅନୁମତି

ଭୁବନେଶ୍ବର (ଏସ୍ ନ୍ଯୁଜ): ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି ହାଇକୋର୍ଟ । ମୂର୍ତ୍ତି ଉଚ୍ଚତାରେ କୌଣସି କଟକଣା ନାହିଁ ବୋଲି ହାଇକୋର୍ଟ କହିଛନ୍ତି । କଟକରେ ବଡ ମୂର୍ତ୍ତି ଥିବା ୯ଟି ଦୁର୍ଗା ମଣ୍ଡପଙ୍କୁ ମିଳିଛି ଅନୁମତି । ଆଡଭୋକେଟ ଜେନେରାଲଙ୍କ ରିପୋର୍ଟ ଆଧାରରେ ହାଇକୋର୍ଟ ଏହି ଅନୁମତି ଦେଇଥିବା ବେଳେ ୨ଟି ସର୍ତ୍ତ ମଧ୍ୟ ରଖିଛନ୍ତି।

ପ୍ରଥମତଃ ମୂର୍ତ୍ତି ଉଚ୍ଚତାକୁ ଅନୁମତି ମିଳିଥିଲେ ବି ବିସର୍ଜନ ପ୍ରଶାସନ ହିଁ କରିବ। ଅପରପକ୍ଷେ ଏହି ଅନୁମତିକୁ ଉଦାହରଣ ଭାବେ ଗ୍ରହଣ କରାଯାଇପାରିବନି ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି ହାଇକୋର୍ଟ।

କୋଭିଡ ଗାଇଡଲାଇନ୍ ମାନି ପୂଜା କମିଟି ପୂଜା କରିବେ । ଭସାଣୀ କିଭଳି ହେବ, ତାହା ରାଜ୍ୟ ସରକାର ନିଷ୍ପତ୍ତି ନେବେ । ପୁରୀର ଏକ ମଣ୍ଡପକୁ ମଧ୍ୟ ପୂଜା କରିବାକୁ ଅନୁମତି ଦିଆଯାଇଛି ।

ସୂଚନାଯୋଗ୍ୟ, ମୂର୍ତ୍ତି ଉଚ୍ଚତାକୁ ନେଇ ବିବାଦ ହାଇକୋର୍ଟରେ ପହଞ୍ଚିବା ପରେ ଏ ପ୍ରସଙ୍ଗରେ ନିଷ୍ପତ୍ତି ନେବାକୁ ପୁଲିସ କମିଶନରଙ୍କୁ ସେପ୍ଟେମ୍ବର ୧୬ ତାରିଖରେ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ମୂର୍ତ୍ତି ଗୁଡିକର ଉଚ୍ଚତା ଯାଞ୍ଚ କରି ୪ ଫୁଟ୍‌ ମଧ୍ୟରେ ସୀମିତ ରଖିବାକୁ ପୁଲିସ କମିଶନର ଗତ ୧୭ ତାରିଖରେ ନିର୍ଦ୍ଦେଶାନାମା ଜାରି କରିଥିଲେ। ମଣ୍ଡପରେ ୪ ଫୁଟରୁ ଊର୍ଦ୍ଧ୍ୱର ମୂର୍ତ୍ତି ନିର୍ମାଣ ଆରମ୍ଭ ହୋଇସାରିଥିବାରୁ କମିଶନରଙ୍କ ନିର୍ଦ୍ଦେଶନାମା ପାଳନ କରିବା ସମ୍ଭବପର ନଥିବା ଦର୍ଶାଇ ପୂଜା କମିଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।