ବିଶ୍ୱବାସୀଙ୍କୁ ଚୀନର ଶ୍ରେଷ୍ଠ ଅବଦାନ ‘କରୋନା’
ମୋଟ ଆକ୍ରାନ୍ତ ୫୮ କୋଟି ୨୪ ଲକ୍ଷ ୮୧୮୯
ମୋଟ ସୁସ୍ଥ ୫୫ କୋଟି ୨୭ ଲକ୍ଷ ୨୪୯୫୬
ପ୍ରାଣ ହରାଇଛନ୍ତି ୬୪ ଲକ୍ଷ ୨୦୦୩୮….
ନୂଆଦିଲ୍ଲୀ: ଚୀନର ମାଂସ ବଜାରରୁ ସାରା ବିଶ୍ୱକୁ ଗ୍ରାସ କରିଥିବା କରୋନା ମହାମାରୀ ଏ ପର୍ଯ୍ୟନ୍ତ ୬୪ ଲକ୍ଷ ୨୦ ହଜାର ୩୮ ଜଣଙ୍କ ଜୀବନ ନେଲାଣି । ସୂଚନା ମୁତାବକ ବିଶ୍ୱର ୨୩୦ଟି ଦେଶରୁ ୫୮ କୋଟି ୨୪ ଲକ୍ଷ ୮୧୮୯ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ଭିତରୁ ସୁସ୍ଥ ହୋଇଛନ୍ତି ୫୫ କୋଟି ୨୭ ଲକ୍ଷ ୨୪ ହଜାର ୯୫୬ । ଏବେ (୧/୮/୨୨ ଦିନ ୨ଟା ୩୦ ମିନିଟ୍) ସୁଦ୍ଧା ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ୪୨ ହଜାର ୨୫୦ କରୋନା ରୋଗୀ । ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ୨ କୋଟି ୩୨ ଲକ୍ଷ ୬୩ ହଜାର ୧୯୫ । ଚୀନରେ ଜନ୍ମିତ କରୋନା ଏବେ ଚତୁର୍ଥ ଅବତାର ଧାରଣ କରିଛି । ଚତୁର୍ଥ ଅବତାରରୁ ରକ୍ଷା ପାଇବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବୁଷ୍ଟର ଡୋଜ ପ୍ରତି ଗୁରୁତ୍ୱାରୋପ କରିଛି । ମାତ୍ର ବୁଷ୍ଟର ଡୋଜ କରୋନାର ପଂଚମ ଅବତାରକୁ ଖତମ କରିପାରିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଛାତିରେ ହାତ ପିଟି କହିପାରୁନି ।
ସଂକ୍ଷେପରେ କହିଲେ, ସାରାବିଶ୍ୱକୁ ଚୀନର ସର୍ବଶ୍ରେଷ୍ଠ ଅବଦାନ କରୋନା ଆଉ ବିଶ୍ୱପୃଷ୍ଠରୁ ବିଦାୟ ନେବାର ପ୍ରଶ୍ନ ଉଠୁନି । ଏପରିକି ବିଶ୍ୱର ବହୁରାଷ୍ଟ୍ର କରୋନା ମହାମାରୀରୁ ଯଥେଷ୍ଟ ଫାଇଦା ଉଠାଇଥିବା ପରିଲକ୍ଷିତ ହୋଇଛି । କିଛି ବିକଶିତ ରାଷ୍ଟ୍ର କରୋନା ପ୍ରତିଷେଧକ ପ୍ରସ୍ତୁତ କରି ଗରିବ ରାଷ୍ଟ୍ରକୁ ବିକି ପ୍ରଚୁର ବିଦେଶୀ ମୁଦ୍ରା ଅର୍ଜନ କରିଛନ୍ତି । ଭାରତ କରୋନା ପ୍ରତିଷେଧକ ତିଆରି କରି ପ୍ରାଥମିକ ପର୍ଯ୍ୟାୟରେ କିଛି ଦେଶ ପ୍ରତି ଉଦାରତା ପ୍ରଦର୍ଶନ ପୂର୍ବକ ବିନା ମୂଲ୍ୟରେ ଟୀକା ପଠାଇଛି । ବିଶ୍ୱବାସୀଙ୍କୁ କରୋନା ବିଭୀଷିକା ଭିତରକୁ ଠେଲି ଦେଇ ଚୀନ କେଉଁ ଦେଶକୁ କେତେ କ୍ଷତିରେ ପକାଇଛି । କେଉଁ ଦେଶକୁ କେତେ ଲାଭ ପ୍ରଦାନ କରିଛି । ସେ ବିଷୟରେ କୌଣସି ରାଷ୍ଟ୍ର ସାମାନ୍ୟ ପାଟି ଫିଟାଉନାହାନ୍ତି । ତା’ ହୋଇଥିଲେ ଏତେବେଳକୁ ଚୀନ୍ ମିଳିତ ଜାତିସଂଘର ସୁରକ୍ଷା ପରିଷଦର ସ୍ଥାୟୀ ସଭ୍ୟପଦରୁ ତଡ଼ା ଖାଇ ସାରନ୍ତାଣି ।