ବେଙ୍ଗାଲୁରୁ ଚେନାସ୍ୱାମୀ ଷ୍ଟାଡିୟମ ବାହାରେ ସଂଘଟିତ ଦଳାଚକଟା ମାମଲାରେ ବଳି ପଡ଼ିଛନ୍ତି ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ମାର୍କେଟିଙ୍ଗ ମୁଖ୍ୟ ନିଖିଲ ସୋସାଲେ । ଦଳାଚକଟା ଜନିତ ମୃତ୍ୟୁ ପାଇଁ ସରକାରଙ୍କ ଦାୟୀ କରିବା ଉଚିତ ହେବନି । ବୁଧବାର ଦିନ ଷ୍ଟାଡିୟମରେ ଆଇପିଏଲ୍ ୨୦୨୫ ବିଜେତାଙ୍କୁ ସମ୍ବର୍ଦ୍ଧନା ଦିଆଯିବାର କାର୍ଯ୍ୟକ୍ରମ ଥିଲା । ମାତ୍ର ଷ୍ଟାଡିୟମ ବାହାରେ ପ୍ରବଳ ଜନଗହଳି ଦେଖିବାକୁ ମିଳିଥିଲା । ଆରସିବି ଟିମ ଷ୍ଟାଡିୟମ ନିକଟରେ ପହଂଚିବା କ୍ଷଣି ବିଜୟୀ କ୍ରିକେଟରଙ୍କୁ ଦେଖିବା ପାଇଁ ଲୋକଙ୍କ ଭିତରେ ଠେଲାପେଲା ଆରମ୍ଭ ହୋଇଯାଇଥିଲା ।
ସୁରକ୍ଷାକର୍ମୀଙ୍କ କଟକଣାକୁ ଜନତା ମାନିଲେ ନାହିଁ । ପୁଲିସକୁ ଠେଲାପେଲା କରି କ୍ରିକେଟରଙ୍କ ନିକଟକୁ ମାଡ଼ି ଯାଇଥିଲେ । ଠେଲାପେଲା ଫଳରେ ନିୟନ୍ତ୍ରଣ ହରାଇ କିଛି ଲୋକ ତଳେ ପଡ଼ି ଯାଇଥିଲେ । ଦେଖୁ ଦେଖୁ ୧୧ ଜଣଙ୍କ ଜୀବନ ଚାଲି ଯାଇଥିଲା । ୫୦ ରୁ ଅଧିକ ଖଣ୍ଡିଆ ଖାବରା ହୋଇଥିଲେ । ଗିରଫ ନିଖିଲ ସୋସାଲେ ହେଉଛନ୍ତି ଡିଆଗୋ ଇଣ୍ଡିଆର ଜଣେ ବରିଷ୍ଠ ଅଧିକାରୀ । ଡିଆଗୋ ଇଣ୍ଡିଆ ଏବେ ବିବାଦୀୟ ଶିଳ୍ପପତି ବିଜୟ ମାଲ୍ୟାଙ୍କ କମ୍ପାନୀ ୟୁନାଇଟେଡ୍ ସ୍ପିରିଟ୍ ଲିମିଟେଡ୍କୁ ପରିଚାଳନା କରୁଛି ।
୧୯୮୬ ଅଗଷ୍ଟ ୧୮ ତାରିଖରେ ଜନ୍ମିତ ନିଖିଲ ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡ ସ୍ଥିତ ଜେମ୍ସ କୁକ୍ ୟୁନିଭର୍ସିଟିରୁ ଦୁଇଟି ବିଷୟରେ ଡିଗ୍ରୀ ହାସଲ କରିଛନ୍ତି । ସେ ୧୩ ବର୍ଷ ଧରି ଡିଆଗୋରେ କାମ କରୁଛନ୍ତି । ନିଖିଲଙ୍କ ବିବାଦୀୟ ଭୂମିକା ପ୍ରତି ସନ୍ଦେହ କରି ପୁଲିସ ତାଙ୍କୁ ଗିରଫ କରିଛି । ଟିମକୁ ସମ୍ବର୍ଦ୍ଧିତ କରିବା ପାଇଁ ନିଖିଲ ସବୁ ଆୟୋଜନ କରିଥିଲେ । ସବୁଠାରୁ ଦୁଃଖର କଥା ହେଉଛି, ଷ୍ଟାଡିୟମ ବାହାରେ ଦଳାଚକଟା ଚାଲିଥିବା ସମୟରେ ଷ୍ଟାଡିୟମ ଭିତରେ ଖେଳାଳି, ପ୍ରଶଂସକ, ଆୟୋଜକମାନେ ମଜା ଉଠାଉଥିଲେ । ଦୁର୍ଘଟଣା ଘଟିବାର ବେଶ କିଛି ସମୟ ପରେ ମନୋରଞ୍ଜନ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା ।