ଜେରୁଜେଲମରେ ଖ୍ରୀଷ୍ଟିୟାନଙ୍କ ସମାଧି ଭଙ୍ଗାରୁଜା
ଖ୍ରୀଷ୍ଟିୟାନ ଧର୍ମାବଲମ୍ବୀଙ୍କ ମତରେ ସେହି ପର୍ବତରେ ପ୍ରଭୁ ଯୀଶୁ ଶେଷ ଥର ପାଇଁ..
ନୂଆଦିଲ୍ଲୀ: ଅଲ-ଅକ୍ସା ମସଜିଦ ବିବାଦ ଥମିନାହିଁ, ତା’ରି ଭିତରେ ଇସ୍ରାଏଲର ଜେରୁଜେଲମରେ ଖ୍ରୀଷ୍ଟିୟାନ ସମୁଦାୟଙ୍କ ସମାଧି ପୀଠଗୁଡ଼ିକ ଭଙ୍ଗାରୁଜା କରାଯାଇଥିବା ପ୍ରସଙ୍ଗ ଏବେ ଧାର୍ମିକ ଅରାଜକତା ପ୍ରତି ବାଟ କଢ଼ାଇଛି । ସିସିଟିଭି ଫୁଟେଜରେ କିଛି ଇହୁଦୀ ପୋଷାକଧାରୀ ସମାଧି ପୀଠଗୁଡ଼ିକୁ ଭଙ୍ଗାରୁଜା କରୁଥିବାର ଦେଖିବାକୁ ମିଳିଛି । ପରିସ୍ଥିତିକୁ ସମ୍ଭାଳିବା ପାଇଁ ଇସ୍ରାଏଲ୍ ସରକାର ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦୃଢ଼ତାର ସହ କହିଛନ୍ତି।
ସୂଚନାନୁସାରେ ଇସ୍ରାଏଲର ଧୁର ଦକ୍ଷିଣପନ୍ଥୀ ନେତା ଜେରୁଜେଲମସ୍ଥିତ ଅଲ-ଅକ୍ସା ମସଜିଦ ଗସ୍ତ କରି ଫେରିବା ପରେ ଇସ୍ଲାମିକ ଦେଶଗୁଡ଼ିକ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି । ସେମାନଙ୍କ ମତରେ ଅଲ-ଅକ୍ସା ମସଜିଦ ମଧ୍ୟ ଜେରୁଜେଲମରେ ଅବସ୍ଥିତ । ଉକ୍ତ ପ୍ରାଚୀନ ପୀଠଟି ଇହୁଦୀ, ମୁସଲିମ ଓ ଖ୍ରୀଷ୍ଟିୟାନ ଧର୍ମର ମିଳନ ସ୍ଥଳ । କିନ୍ତୁ ସଂପୃକ୍ତ ସ୍ଥାନଟି କିଛି ବର୍ଷ ଧରି ବିବାଦୀୟ ହୋଇପଡ଼ିଛି।
ବିଶପ ହୋସାମ ନୌମଙ୍କ ମତରେ ଜେରୁଜେଲମର ପୁରାତନ ସହରରେ ୩୦ରୁ ଅଧିକ ଖ୍ରୀଷ୍ଟିୟାନ ସମାଧି ପୀଠକୁ ଭାଙ୍ଗି ଦିଆଯାଇଛି । ଏହି ଅଭିଯୋଗ ପାଇବା ପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି । ରିପୋର୍ଟ ମୁତାବକ ଜିୟୋନ ପର୍ବତ ଉପରେ ଅବସ୍ଥିତ କିଛି ସମାଧି ପୀଠକୁ ଭଙ୍ଗାରୁଜା କରାଯାଇଛି।
ଖ୍ରୀଷ୍ଟିୟାନ ଧର୍ମାବଲମ୍ବୀଙ୍କ ମତରେ ସେହି ପର୍ବତରେ ପ୍ରଭୁ ଯୀଶୁ ଶେଷ ଥର ପାଇଁ ଭୋଜନ ଗ୍ରହଣ କରିଥିଲେ । ଚର୍ଚ୍ଚ ଅଧିକାରୀଙ୍କ ସୂଚନା ମୁତାବକ ସମାଧି ପୀଠ ଭଙ୍ଗାରୁଜା କରାଯାଇଥିବା ଖବର ମଙ୍ଗଳବାର ଦିନ ଜଣାପଡ଼ିଥିଲା।