ହରିଦ୍ୱାର : ହରିଦ୍ୱାରର ତତ୍କାଳୀନ ସିଭିଲ ଜଜ ଦିପାଲୀ ଶର୍ମାଙ୍କୁ ବରଖାସ୍ତ କରାଯାଉଛି। ନାବାଳିକା ଶୋଷଣ ମାମଲାରେ ସିଭିଲ୍ ଜଜଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦିପାଲୀ ଶର୍ମାଙ୍କ ବିରୋଧରେ ନାବାଳିକା ଶୋଷଣର ଗମ୍ଭୀର ଆରୋପ ଲାଗିଥିଲା। ନୈନିତାଲ ଉଚ୍ଚତମ ନ୍ୟାୟାଳୟଙ୍କ ସମ୍ପୂର୍ଣ୍ଣ ବେଞ୍ଚ ଏହି ମାମଲାରେ ଦିପାଲୀ ଶର୍ମାଙ୍କୁ ବରଖାସ୍ତ କରିବାକୁ ସୁପାରିଶ କରିଥିଲେ। ଏହାପରେ ସରକାରଙ୍କ ତରଫରୁ ଏହି ଆଦେଶ ଜାରି କରାଯାଇଥିଲା। ଅତିରିକ୍ତ ମୁଖ୍ୟ ସଚିବ କାର୍ମିକ ରାଧା ରତୁଡିଙ୍କ ଦ୍ୱାରା ଦିପାଲୀ ଶର୍ମାଙ୍କୁ ବରଖାସ୍ତ କରିବାକୁ ଆଦେଶ ଜାରି କରାଯାଇଛି।
ନୈନିତାଲ ହାଇକୋର୍ଟ ୱେବସାଇଟରେ ଦିପାଲୀ ଶର୍ମାଙ୍କୁ ବରଖାସ୍ତ କରିବା ଆଦେଶ ଅପଲୋଡ୍ କରାଯାଇଛି। ହରିଦ୍ୱାରର ତତ୍କାଳୀନ ସିଭିଲ୍ ଜଜ୍ ଦିପାଲୀ ଶର୍ମାଙ୍କ ଉପରେ ୨୦୧୯ ମସିହାରେ ଜଣେ ନାବାଳିକାଙ୍କୁ ନିଜ ବାସଭବନରେ ରଖି ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଥିଲା। ଚଢ଼ାଉ କରି ନାବାଳିକା ତାଙ୍କ ଘରୁ ଉଦ୍ଧାର ହୋଇଥିଲେ। ଜିଲ୍ଲା ହସ୍ପିଟାଲରେ ନାବାଳିକାଙ୍କ ମେଡିକାଲ ଯାଞ୍ଚ କରାଯାଇଥିଲା। ପରେ ନାବାଳିକାଙ୍କ ଶରୀରରେ ୨୦ ଟି କ୍ଷତ ଚିହ୍ନ ମିଳିଥିଲା । ଯାଞ୍ଚ ପରେ ଦିପାଲୀଙ୍କ ବିରୋଧରେ ହୋଇଥିବା ଅଭିଯୋଗ ସ୍ପଷ୍ଟ ହୋଇଥିଲା। ଏହାପରେ ସିଡ଼କୁଲ ଥାନାରେ ମାମଲା ରୁଜ୍ଜୁ କରାଯାଇ ଦିପାଲୀଙ୍କୁ ନିଲମ୍ବିତ କରାଯାଇଥିଲା। ମାମଲାର ଶୁଣାଣି ପରେ ହାଇକୋର୍ଟ ବେଞ୍ଚ ଦିପାଲୀଙ୍କୁ ବରଖାସ୍ତ କରିବାକୁ ଆଦେଶ ଦେଇଥିଲେ।