ଏନସିପି ଭିତରେ ଝଡ: ଦାଦା ଭାଷଣ ଦେବା ବେଳେ ପୁତୁରା ଗାଏବ
ଏନସିପି ଭିତରେ ଉଠିଲା ଝଡ । ଦଳର ରାଷ୍ଟ୍ରୀୟ ଅଧିବେଶନ ସମୟରେ ….
ମୁମ୍ବାଇ: ଏନସିପି ଭିତରେ ଉଠିଲା ଝଡ । ଦଳର ରାଷ୍ଟ୍ରୀୟ ଅଧିବେଶନ ସମୟରେ ଦେଖାଦେଲା ଭିତର କନ୍ଦଳ । ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାର ଦଳର ରାଷ୍ଟ୍ରୀୟ ଅଧିବେଶନ ବୈଠକ ଅଧାରୁ ଛାଡ଼ି ଚାଲି ଯାଇଥିବା ଦେଖିବାକୁ ମିଳିଥିଲା । ଶରଦ ପାୱାର ମଞ୍ଚରେ ଉପସ୍ଥିତ ଥିବାବେଳେ ଦଳର ଅନ୍ୟତମ ବରିଷ୍ଠ ନେତା ଅଜିତ ପାୱାର ହଠାତ ଗାଏବ ହୋଇ ଯାଇଥିଲେ । ଏପରି କାର୍ଯ୍ୟକଳାପ ଯୋଗୁ ପାୱାରଙ୍କ ନିକଟରୁ ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରିବାର ସୁଯୋଗ ମଧ୍ୟ ହାତଛଡ଼ା ହୋଇଥିବା ଜଣାଯାଇଛି ।
ଗତକାଲି ଦଳର ରାଷ୍ଟ୍ରୀୟ ଅଧିବେଶନରେ ଦଳର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ । ପାୱାରଙ୍କ ଶେଷ ମନ୍ତବ୍ୟ ପୂର୍ବରୁ ଅଜିତ ପାୱାର ନିଜ ମନ୍ତବ୍ୟ ଦେବେ ବୋଲି ଏନସିପି ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରଫୁଲ୍ଲ ପଟେଲ ମଞ୍ଚରେ ଘୋଷଣା କରିଥିଲେ । କିନ୍ତୁ ସେତେବେଳକୁ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ନିଜ ସିଟ୍ରୁ ଉଠି କେଉଁଆଡେ଼ ଚାଲିଯାଇଥିବା ଦେଖିବାକୁ ମିଳିଥିଲା ।