ମୁମ୍ବାଇ ବିମାନଘାଟିରେ କଂପ୍ୟୁଟର ସିଷ୍ଟମ୍‌ ଅଚଳ, ଯାତ୍ରୀ ହଲାପଟା

ବହୁ ଯାତ୍ରୀ ବିମାନଘାଟିର ଅଚଳ ଅବସ୍ଥାକୁ ସୁଟିଂ କରି ସୋସିଆଲ ମିଡିଆରେ ପ୍ରସାରିତ କରିଛନ୍ତି….

ମୁମ୍ବାଇ: ଗୁରୁବାର ସନ୍ଧ୍ୟା ସମୟରେ ମୁମ୍ବାଇସ୍ଥିତ ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତିକ ବିମାନଘାଟିର କଂପ୍ୟୁଟର ସିଷ୍ଟମ ଅଚଳ ହୋଇଯିବା କାରଣରୁ ବିମାନକୁ ଅପେକ୍ଷା କରିଥିବା ଯାତ୍ରୀମାନେ ପ୍ରାୟ ଗୋଟିଏ ଘଂଟା ପାଇଁ ହଲାପଟା ହୋଇଛନ୍ତି । ସର୍ଭର ଡାଉନ୍‌ ହୋଇଯିବା କାରଣରୁ କଂପ୍ୟୁଟର କାମ କଲାନି । ଯାତ୍ରୀଙ୍କୁ ସେବା ଯୋଗାଇବା ପାଇଁ ବିମାନ କର୍ମଚାରୀଙ୍କୁ ହାତରେ କାମ କରିବାକୁ ପଡ଼ିଲା ।
ବିମାନ ଉଡ଼ାଣ ସମୟ ଯେତିକି ପାଖେଇ ଆସୁଥିଲା । ଦୁଇନମ୍ବର ଟର୍ମିନାଲର ଯାତ୍ରୀମାନଙ୍କୁ ତା’ଠାରୁ ଅଧିକ ମାନସିକ ଶାରୀରିକ ହିନସ୍ତା ଭୋଗିବାକୁ ପଡ଼ିଛି ।

ଘରୋଇ ବିମାନ ଓ ଆନ୍ତର୍ଜାତିକ ବିମାନକୁ କରିଥିବା ଯାତ୍ରୀମାନଙ୍କୁ ଲମ୍ବା ଲାଇନରେ ଠିଆ ହେବାକୁ ପଡ଼ିଥିଲା । ଯାତ୍ରୀମାନେ ହୋ ହଲ୍ଲା କରି ବିମାନଘାଟିକୁ ଶୁଖୁଆ ହାଟରେ ପରିଣତ କରି ଦେଇଥିଲେ । ପ୍ରାୟ ଗୋଟିଏ ଘଂଟା ପାଇଁ ବାତାବରଣ କୋଳାହଳମୟ ଥିଲା । ନୂଆଦିଲ୍ଲୀ ପରେ ଦେଶର ଦ୍ୱିତୀୟ ବ୍ୟସ୍ତତମ ବିମାନଘାଟି ଭାବେ ମୁମ୍ବାଇ ଜଣାଶୁଣା । ବହୁ ଯାତ୍ରୀ ବିମାନଘାଟିର ଅଚଳ ଅବସ୍ଥାକୁ ସୁଟିଂ କରି ସୋସିଆଲ ମିଡିଆରେ ପ୍ରସାରିତ କରିଛନ୍ତି । ଖାଲି ସେତିକି ନୁହେଁ, ବିମାନ କର୍ମଚାରୀଙ୍କ ଦୁର୍ବ୍ୟବହାରକୁ ମଧ୍ୟ ତୀବ୍ର ସମାଲୋଚନା କରିଛନ୍ତି ।