ବୁଲା କୁକୁରକୁ ଗୋଇଠା ମାରିଲେ ଯୁବତୀ

ତୀବ୍ର ସମାଲୋଚନା କଲେ ପଶୁପ୍ରେମୀ

ଏପରି କିଛି ଚରିତ୍ର ଅଛନ୍ତି; ସୋସିଆଲ ମିଡିଆରେ ଲୋକପ୍ରିୟ ହେବା ନିଶାରେ ମାନବିକତା ଭୁଲିଯାଆନ୍ତି । ସେହି ଚରିତ୍ର ଭିତରେ ତାଲିକାଭୁକ୍ତ ହୋଇଛନ୍ତି କାଜଲ କିରନ । ଇନ୍‌ଷ୍ଟାଗ୍ରାମରେ ପ୍ରସାରିତ ଏକ ଭିଡିଓରେ କାଜଲ ଗୋଟିଏ ବୁଲା କୁକୁରକୁ ଗୋଇଠା ମାରିବା ପରେ ଆତ୍ମସନ୍ତୋଷର ସହ ହସିଥିଲେ । କୁକୁର ପ୍ରତି ତାଙ୍କର ଏଭଳି ଆଚରଣକୁ ତୀବ୍ର ଭର୍ତ୍ସନା କରିଥିଲେ ଅଧିକାଂଶ ପଶୁପ୍ରେମୀ । ଖାଲି ସେତିକିରେ ପ୍ରତିବାଦ ଥମିଲାନି । ସଂପୃକ୍ତ ମହିଳାଙ୍କ ବିରୋଧରେ କର୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କଲେ ।

ଜଣେ ଯୁବକ ତାଙ୍କ ଟ୍ୱିଟର୍‌ ଆକାଉଂଟରେ ଲେଖିଲେ, ‘ମୂକ ଆତ୍ମା ପ୍ରତି ଆପଣ କିପରି ଏତେ ନିର୍ଦ୍ଦୟ ବ୍ୟବହାର ଦେଖାଇପାରିଲେ ।’ ସୋସିଆଲ ମିଡିଆରେ ପ୍ରସାରିତ ପ୍ରତିକ୍ରିୟା ପଢ଼ିବା ପରେ ଖୋଦ କାଜଲ ସୋସିଆଲ ମିଡିଆରେ କ୍ଷମା ପ୍ରାର୍ଥନା କରିଛନ୍ତି । ତେବେ ସେ ଅନ୍ତରରୁ କି ପାଟିରୁ କ୍ଷମା ପ୍ରାର୍ଥନା କରିଛନ୍ତି, ତାହା ଅସ୍ପଷ୍ଟ ରହିଛି ।

ନିଜକୁ ପଶୁପ୍ରେମୀଙ୍କ ଭିତରୁ ଜଣେ ଦର୍ଶାଇ କାଜଲ ଲେଖିଛନ୍ତି, ମୋର ନିର୍ଦ୍ଦୟ କର୍ମ ପାଇଁ ମୁଁ ଦୁଃଖ ପ୍ରକାଶ କରୁଛି । ଏକ ଦୁର୍ବଳ ମୁହୂର୍ତର ଶିକାର ହୋଇ ମୁଁ ଏପରି ନୀଚ କାମ କରି ପକାଇଛି । ଏଣିକି କୌଣସି ପଶୁଙ୍କୁ ଏଭଳି ଆଚରଣ କରିବି ନାହିଁ ।