ଲୋକମାନେ ମୁଣ୍ଡାଇବେ କି ଯାନବାହନ?

ଭୁବନେଶ୍ୱର: ରାଜଧାନୀ ରାସ୍ତାକଡ଼ରେ ଗାଡ଼ି ରଖି ଜିନିଷ କିଣିବାର ନିଶା ଛଡ଼ାଇବା ପାଇଁ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଘୋଷିତ ସୂଚନାନୁସାରେ ରାସ୍ତାକଡ଼ରେ ଆସ୍ଥାନ ଜମାଉଥିବା ଯାନବାହନକୁ ପୁଲିସ ଅପହରଣ କରିବା ସହ ଗାଡ଼ି ମାଲିକଙ୍କଠାରୁ ଜୋରିମାନା ଆଦାୟ କରିବ ।

ପ୍ରଥମ ଦଫାରେ ସହିଦନଗର ଅଂଚଳରେ ଆଇଡିବିଆଇ ବ୍ୟାଙ୍କ ଛକରୁ ଭେଟେରିନାରୀ କଲେଜ ଓ ଏମ୍ପାୟାର୍ସ ହୋଟେଲ ଦେଇ ଜାତୀୟ ରାଜପଥ ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତାକଡ଼, ଆଲୋକ ଭାରତୀ ବିଲଡିଂଠାରୁ ସହିଦନଗର ଦୁର୍ଗାପୂଜା ମଣ୍ଡପ ରାସ୍ତାକଡ଼, ଜନପଥ କଡ଼ସ୍ଥିତ କଲ୍ୟାଣ ଜୁଏଲର୍ସରୁ ସ୍ପର୍ଶ ହସ୍ପିଟାଲ ଦେଇ ଚରକ ମେଡିକାଲ ଷ୍ଟୋର ସାମ୍ନା ରାସ୍ତାକଡ଼ ଓ ତୃପ୍ତି ସର୍ଭିସ ଷ୍ଟେସନଠାରୁ ସହିଦନଗର ପ୍ରବେଶ ପଥ ପର୍ଯ୍ୟନ୍ତ ରାସ୍ତାକଡ଼ରେ ଯାନବାହନ ପାର୍କିଂକୁ ବାରଣ କରାଯାଇଛି । ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ ପକ୍ଷରୁ ଉକ୍ତ ସ୍ଥାନକୁ ନୋ ପାର୍କିଂ ଘୋଷଣା କରାଯାଇଛି । ଫଳରେ ଅମାନିଆ ଯାନବାହନ ମାଲିକଙ୍କଠାରୁ ଜୋରିମାନା ଆଦାୟ ନଚେତ ସେମାନଙ୍କ ଯାନବାହନକୁ ଅପହରଣ କରିବା ପୁଲିସର ଆଉ ଏକ ଅତିରିକ୍ତ ଡ୍ୟୁଟି ହୋଇଛି ।  ଯାନବାହନ ମାଲିକଙ୍କୁ ବହୁତଳ ପାର୍କିଂରେ ଗାଡ଼ି ରଖିବା ପାଇଁ କୁହାଯାଇଛି । ବହୁ ଲୋକ ପାର୍କିଂ ଜାଗା ଦେଖାଇ ଘର ପ୍ଲାନ୍‌ ଅନୁମୋଦନ କରିଛନ୍ତି । ମାତ୍ର ଦୋକାନ କରି ଭଡ଼ା ଲଗାଇଛନ୍ତି ।

ରାସ୍ତାକଡ଼ରେ ଯାନବାହନ ଠିଆ ହେବା ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ନିକଟରେ ରାଜମହଲ ବହୁତଳ ପାର୍କିଂ ଟ୍ରାଏଲ୍‌ ସଫଳ ହୋଇଛି । ରାଜଧାନୀରେ କେତେକ ରାସ୍ତାକଡ଼କୁ ପାର୍କିଂ ସ୍ଥାନ ଭାବେ ବ୍ୟବହାର କରୁଛି ବିଏମ୍‌ସି । ସେଗୁଡ଼ିକ କ୍ରମେ ବନ୍ଦ ହେବାକୁ ଯାଉଛି । ମାର୍କେଟ ବିଲଡିଂ ଚାରିପାଖ ଓ ଏକ ନମ୍ବର ହାଟକଡ଼ରେ ପାର୍କିଂ ବ୍ୟବସ୍ଥା ବନ୍ଦ କରାଯିବ । ଧୀରେ ଧୀରେ ରାଜଧାନୀର ପ୍ରମୁଖ ରାସ୍ତାକଡ଼ ନୋ ପାର୍କିଂ ଜୋନ୍‌ ହେବା ଫଳରେ ଲୋକମାନେ ଗଳିକନ୍ଦିରେ ଗାଡ଼ି ରଖିବା ଆରମ୍ଭ କରିଦେବେ କାରଣ ଯାନବାହନକୁ ମୁଣ୍ଡାଇ ଜିନିଷପତ୍ର କିଣିବା କୌଣସିମତେ ସମ୍ଭବ ନୁହେଁ । କାରଣ ସରକାରୀ ଚାକିରିଆଙ୍କ ଘର ସାମ୍ନାରେ ଗାଡ଼ି ରଖିବା ଆଗାମୀ ଦିନରେ ମହଙ୍ଗା ସାବ୍ୟସ୍ତ ହୋଇପାରେ ।