ଭୋଟରଙ୍କୁ ଭେଳିକି: କାଗଜବିହୀନ ସ୍ୱାସ୍ଥ୍ୟସେବା

ଭୁବନେଶ୍ୱର: ଭିତିଭୂମି ନଥାଇ ନାନା ପ୍ରକଳ୍ପର ଶୁଭାରମ୍ଭ ନବୀନ ପଟ୍ଟନାୟକ ସରକାରଙ୍କ ପୁରୁଣା ଅଭ୍ୟାସ । ବିଗତ ୨୩ ବର୍ଷ ଶାସନ ଭିତରେ ମୁଖ୍ୟମନ୍ତ୍ରୀଙ୍କ ମୁହଁରୁ ୧୦୦ରୁ ଅଧିକ ଯୋଜନା ଜନ୍ମ ନେଇଛି । ମାତ୍ର ତା’ ଭିତରୁ ଅଘୋଷିତ ଯୋଜନାଗୁଡ଼ିକ ଶହେକୁ ଶହେ କାମ କରିଛି । ମାତ୍ର ଘୋଷିତ ଯୋଜନାଗୁଡ଼ିକ ଭିତରୁ ମାତ୍ର ୨୦ ପ୍ରତିଶତ କାମ କରିଛି । ୮୦ ପ୍ରତିଶତ ଯୋଜନା ସରକାରୀ ନଥିପତ୍ରରେ ସାଫଲ୍ୟ ଅର୍ଜନ କରିଛି । ନିକଟରେ ଗୋଟିଏ ପ୍ରକଳ୍ପ ଆରମ୍ଭ କରି ସରକାରଙ୍କୁ ଉପହାସର ପାତ୍ର ହେବାକୁ ପଡ଼ିଛି ।

ଭୁବନେଶ୍ୱରସ୍ଥିତ ସବୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଲୋକଙ୍କୁ କାଗଜବିହୀନ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ଲକ୍ଷ୍ୟରେ ଘାଟିକିଆ ସ୍ୱାସ୍ଥ୍ୟକେନ୍ଦ୍ରକୁ ପାଇଲଟ୍‌ ପ୍ରକଳ୍ପ ଭାବେ କାର୍ଯ୍ୟକାରୀ କରାଯାଇଥିଲା । ମାତ୍ର କିଛିଦିନ ଚାଲିବା ପରେ ଏବେ ତାହା ବନ୍ଦ ହୋଇଯାଇଛି । ଉଦ୍‌ଘାଟନ ସମୟରେ ବିଏମ୍‌ସି କମିଶନରଙ୍କୁ ଯେତିକି ସାବାସି ମିଳିଥିଲା ତା’ର ଚାରିଗୁଣ ତିରସ୍କାର କରୁଛନ୍ତି ଉକ୍ତ ଡାକ୍ତରଖାନାରେ ପାଦ ପକାଉଥିବା ରୋଗୀ ଓ ସେମାନଙ୍କ ସଂପର୍କୀୟ । ସ୍ୱାସ୍ଥ୍ୟକେନ୍ଦ୍ରରେ ଡିଟିପି ଅପରେଟର ନାହାନ୍ତି । ନାନା ଉପକରଣର ଅଭାବ ପରିଲକ୍ଷିତ ହୋଇଛି । ଦୃଢ଼ ଭିତିଭୂମି ନଥାଇ କାଗଜବିହୀନ ସ୍ୱାସ୍ଥ୍ୟସେବା ଚାଲୁ କରିବା ବିଏମ୍‌ସି କମିଶନରଙ୍କ ଚାଲାକିକୁ ଧରାପକାଇଛି । ସ୍ୱାସ୍ଥ୍ୟକେନ୍ଦ୍ର ପରିଚାଳକ କହିଛନ୍ତି, ବିଏମ୍‌ସି ଟ୍ରାଏଲ୍‌ କରୁଥିଲା । ଆମକୁ ସ୍ଥାୟୀ ଡାଟା ଏଂଟ୍ରି ଅପରେଟର୍‌ ମିଳିଯିବା ପରେ ସବୁକିଛି ଠିକ୍‌ ଠାକ୍‌ ଚାଲିବ ।
ରାଜ୍ୟରେ ସବୁ କାମର ଡିଜିଟାଇଜେସନ୍‌ ପାଇଁ ନବୀନ ପଟ୍ଟନାୟକ ଓ ତାଙ୍କର ପାଣ୍ଡବ ଟିମ୍‌ ଲାଗି ପଡ଼ିଛନ୍ତି । ରାଜଧାନୀର ସବୁ ସ୍ୱାସ୍ଥ୍ୟକେନ୍ଦ୍ରକୁ କାଗଜମୁକ୍ତ କରିବା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଉପହାସର ପାତ୍ର କରିଛି ।