ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କୁ ଆକ୍ରମଣ ଷଡଯନ୍ତ୍ର: ବାଚସ୍ପତି

ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ….

ନୂଆଦିଲ୍ଲୀ: ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆକ୍ରମଣ କରିବାକୁ ଷଡଯନ୍ତ୍ର କରାଯାଇଥିଲା। ଏଭଳି କିଛି ବିସ୍ଫୋରକ ବୟାନ ଗୃହରେ ରଖିଛନ୍ତି ବାଚସ୍ପତି ଓମ୍‌ ବିର୍ଲା। ଗୁରୁବାର ବାରମ୍ବାର ଗୃହ ମୁଲତବୀ ହେବା ପରେ ଦିନ ୨ଟା ପରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ସମୟରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ପୁଣି ୩ଟା ଯାଏଁ ମୁଲତବୀ କରାଯାଇଥିଲା। ୩ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବାଚସ୍ପତି କହିଛନ୍ତି, ଗତକାଲି ଗୃହରେ କିଛି ବିରୋଧୀ କଂଗ୍ରେସ ସଦସ୍ୟମାନେ ଯେଉଁଭଳି ବ୍ୟବହାର ପ୍ରଦର୍ଶନ କରିଲେ ତାହା ସଂସଦର ଗରିମାକୁ କ୍ଷୁର୍ଣ୍ଣ କରିଛି।

ବିଶେଷ ସୂତ୍ରରୁ ବାଚସ୍ପତି ମହୋଦୟଙ୍କୁ ଖବର ମିଳିଥିଲା ଯେ ପ୍ରଧାନମନ୍ତ୍ରୀଙ୍କ ଉପରେ ଆକ୍ରମଣ କରିବାକୁ ଷଡଯନ୍ତ୍ର ହୋଇଥିଲା, ସେଥିପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଗୃହକୁ ନ ଆସିବାକୁ ଅନୁରୋଧ କରିଥିଲେ। ଗୃହର ସଭାପତି ହୋଇଥିବାରୁ ଏହା କରିବା ତାଙ୍କ କର୍ତବ୍ୟ ଥିଲା। ଯଦି ଏପରି ଘଟଣା ଘଟିଯାଇଥାନ୍ତା, ତେବେ ଅତ୍ୟନ୍ତ ଲଜ୍ଜାଜନକ ହୋଇଥାନ୍ତା, ଦେଶର ଲୋକତନ୍ତ୍ର ପରମ୍ପରାକୁ ଛାରଖାର କରିଥାନ୍ତି। ଏଭଳି ନହେବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରି ଗୃହକୁ ନଆସିବାକୁ ପରାମର୍ଶ ଦେଇଥିଲେ।

ପ୍ରଧାନମନ୍ତ୍ରୀ ବାଚସ୍ପତିଙ୍କ ଅନୁରୋଧକୁ ରକ୍ଷା କରିଥିଲେ ଏବଂ ଗୃହକୁ ଆସି ନଥିଲେ। ଏଥିପାଇଁ ବାଚସ୍ପତି ଓମ୍‌ ବିର୍ଲା ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବୁଧବାର କଂଗ୍ରେସର ମହିଳା ସଦସ୍ୟମାନେ ପ୍ରଧାନମନ୍ତ୍ରୀଙ୍କ ସିଟ୍‌କୁ ଘେରି ରହିଥିଲେ, ତାହା ପୁରା ଦେଶବାସୀ ଦେଖିଛନ୍ତି। ଗୃହରେ ପେପର ଚିରିବା, ଫିଙ୍ଗିବା, ଏବଂ ବିକ୍ଷୋଭ ପ୍ରଦର୍ଶନ, ପୋଷ୍ଟର ଦେଖାଇବା ଚଳିବ ନାହିଁ ବୋଲି ବାଚସ୍ପତି ସିଧାସଳଖ କହିଛନ୍ତି। ଏଭଳି କରିଲେ ଗୃହ କେବେ ବି ଚାଲିପାରିବ ନାହିଁ, ଆଜି ନୁହେଁ କି କାଲି ବି ନୁହେଁ। ଗୃହ କାର୍ଯ୍ୟକୁ ଶୁକ୍ରବାର ଦିନ ୧୧ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି।