ନୂଆଦିଲ୍ଲୀ: ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ସଫଳତା ହାସଲ କଲା ଭାରତ । ଦେଶର ପ୍ରଥମ ଘରୋଇ ରକେଟ୍କୁ ଭିଡିଓ କନଫରେନ୍ସ ଜରିଆରେ ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ହାଇଦ୍ରାବାଦ ସ୍ପେଶ୍ ଷ୍ଟାର୍ଟଅପ୍ \”ସ୍କାଏରୁଟ୍\’ ବିକ୍ରମ-୧ ତିଆରି କରିଛି । ପ୍ରଧାନମନ୍ତ୍ରୀ ୨ ଲକ୍ଷ ବର୍ଗଫୁଟରେ ନିର୍ମିତ ସ୍କାଏରୁଟ୍ ବିଶାଳ ଇନ୍ଫିନିଟି କ୍ୟାମ୍ପସ୍ ଉଦଘାଟନ କରିଛନ୍ତି । ଏହି କ୍ୟାମ୍ପସ୍ ପ୍ରତି ମାସରେ ଏକ ଅର୍ବିଟାଲ ରକେଟ୍ ତିଆରି କରିବାର କ୍ଷମତା ରଖିଛି । \”ବିକ୍ରମ-୧\’ ରକେଟ୍ ଉପଗ୍ରହଗୁଡିକୁ ପୃଥିବୀ କକ୍ଷରେ ସ୍ଥାପନ କରିବାର କ୍ଷମତା ରଖିଛି । ଏହା କମ୍ ଖର୍ଚ୍ଚରେ ଓ ତୀବ୍ର ଗତିରେ ଛୋଟ ଉପଗ୍ରହଗୁଡିକୁ ଅନ୍ତରୀକ୍ଷକୁ ପଠାଇବା ପାଇଁ ବିକଳ୍ପ ଭାବରେ କାମ କରିବ ।
ଭାରତୀୟ ଅନ୍ତରୀକ୍ଷ କାର୍ଯ୍ୟକ୍ରମର ପ୍ରତିଷ୍ଠାତା ଡ. ବିକ୍ରମ ସାରାଭାଇଙ୍କ ନାମରେ ଏହି ରକେଟ୍କୁ ନାମିତ କରାଯାଇଛି । ଏହା ୩୦୦ କିଲୋଗ୍ରାମ୍ ଓଜନ ବିଶିଷ୍ଟ ଯାନକୁ ଆରାମରେ ମହାକାଶକୁ ନେଇପାରିବ । ରକେଟ୍ଟି ସମ୍ପୂର୍ଣ୍ଣ କାର୍ବନ-ଫାଇବର୍ରେ ନିର୍ମିତ । ଯାହା ଅନ୍ୟ ରକେଟ୍ଠାରୁ ସ୍ୱତନ୍ତ୍ର ଅଲଗା । କମ୍ପାନୀ ମତରେ ବିକ୍ରମ-୧ ଯେକୌଣସି ପ୍ରକ୍ଷେପଣ ସ୍ଥାନରୁ ୨୪ ଘଂଟା ଭିତରେ ଖଞ୍ଜାଯାଇ ସକ୍ରିୟ କରାଯାଇପାରିବ । ସ୍କାଏରୁଟ୍ର ଇନ୍ଫିନିଟି କ୍ୟାମ୍ପସ୍ ଭାରତର ନୂଆ ଚିନ୍ତାଧାରା ଏବଂ ଯୁବଶକ୍ତିର ପ୍ରତୀକ ।