ନୂଆଦିଲ୍ଲୀ: ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ଚାଲିଥିବା ସ୍ପେଶାଲ ଇଂଟେନ୍ସିଭ୍ ରିଭିଜନ୍ (ଏସ୍ଆଇଆର୍)କୁ ଯୁକ୍ତିସଂଗତ କରିଛନ୍ତି ସୁପ୍ରିମକୋର୍ଟ । ନିର୍ବାଚନ କମିଶନଙ୍କ କାର୍ଯ୍ୟରେ ବାଧା ଉପୁଜାଇବା ଅସଂଗତ ହେବ ବୋଲି ସୁପ୍ରିମକୋର୍ଟ ଟିପ୍ପଣୀ କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, ନିର୍ବାଚନ କମିଶନ ହେଉଛନ୍ତି ଏକ ସାମ୍ବିଧାନିକ ଆୟୋଗ । ତାଙ୍କ ପାଖରେ ସାରା ଦେଶରେ ଏସ୍ଆଇଆର୍ ପାଇଁ କ୍ଷମତା ରହିଛି । ତେବେ ଏଥିରେ କିଛି ଅନିୟମିତତା କିମ୍ବା ତ୍ରୁଟି ରହେ ତାହାକୁ କୋର୍ଟ ସୁଧାରି ପାରିବେ ।
ଏସ୍ଆଇଆର୍ ବିରୋଧରେ ଆଗତ କିଛି ଆବେଦନର ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟା ବାଗ୍ଚି କହିଛନ୍ତି, ଏସ୍ଆଇଆର୍ ଭୁଲ ନୁହେଁ । ଖଣ୍ଡପୀଠ ଏସ୍ଆଇଆର୍ ଉପରେ ପ୍ରଶ୍ନ କରୁଥିବା କିଛି ଆବେଦନକୁ ଖାରଜ କରି ଦେଇଛନ୍ତି । ଆରଜେଡି ସାଂସଦ ମନୋଜ ଝା\’ଙ୍କ ଓକିଲ କପିଲ ଶିବଲ ଏସ୍ଆଇଆର୍ର ସାମ୍ବିଧାନିକ ବୈଧତା ପ୍ରତି ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ, ଜଣେ ଭାରତର ନାଗରିକ ନା ନାହିଁ ତାହାର ନିଷ୍ପତି ନେବାକୁ ନିର୍ବାଚନ କମିଶନ କିଏ? ଆଧାର କାର୍ଡରେ ଜଣେ ବ୍ୟକ୍ତିର ଘର ଠିକଣା ସହ ବୟସ ଉଲ୍ଲେଖ କରାଯାଇଛି । ସେଥିରୁ ବ୍ୟକ୍ତିର ବୟସ ୧୮ ବର୍ଷରୁ ଅଧିକ କି ନୁହେଁ, ତାହା ଜାଣିହେବ । ଜବାବରେ କୋର୍ଟ କହିଛନ୍ତି, ଶିବଲ ନିଜେ ଦିଲ୍ଲୀରୁ ନିର୍ବାଚନ ଲଢିଛନ୍ତି । ଦିଲ୍ଲୀରେ ଅନେକ ବ୍ୟକ୍ତି ଭୋଟ୍ ଦିଅନ୍ତି ନାହିଁ । କିନ୍ତୁ ଗ୍ରାମାଂଚଳରେ ନିର୍ବାଚନ ହେଉଛି ଏକ ପର୍ବ । ଅଧିକରୁ ଅଧିକ ଭୋଟର ମତଦାନ କରିବାକୁ ପସନ୍ଦ କରନ୍ତି । ଗାଁର ବାସିନ୍ଦା କିଏ, ତାହା ସମସ୍ତେ ଜାଣିଥାନ୍ତି ।
ପ୍ରଧାନ ବିଚାରପତି ଆହୁରି କହିଛନ୍ତି, ବିହାର ନିର୍ବାଚନ ହେଉଛି ସବୁଠୁ ବଡ ଉଦାହରଣ । ପ୍ରଥମେ କୋର୍ଟଙ୍କୁ କୋଟି କୋଟି ଭୋଟରଙ୍କୁ ବାଦ୍ ଦିଆଯାଇଥିବା କୁହାଯାଇଥିଲା । ଏହି ଦିଗରେ କୋର୍ଟ କିଛି ନିର୍ଦ୍ଦେଶନାମା ଦେଇଥିଲେ । ଯେଉଁମାନଙ୍କୁ ଭୋଟର ତାଲିକାରୁ ବାଦ୍ ଦିଆଯାଇଥିଲା, ସେମାନେ ପ୍ରାଣ ହରାଇ ସାରିଛନ୍ତି କିମ୍ବା ସ୍ଥାନାନ୍ତର ହୋଇସାରିଛନ୍ତି ।
କେହି ଜଣେ ହେଲେ ଅଭିଯୋଗ କରି ନଥିଲେ । ଏହା ତଳସ୍ତରରେ କୌଣସି ପ୍ରଭାବ ପକାଇଥିବା ଜଣାପଡିନି ବୋଲି କୋର୍ଟ କହିଛନ୍ତି । କୋର୍ଟ ନିର୍ବାଚନ କମିଶନଙ୍କୁ କହିଛନ୍ତି ଯେ, ଯଦି କୌଣସି ପ୍ରକୃତ ଅଭିଯୋଗ କିମ୍ବା ଅନିୟମିତତା ଆସେ ତେବେ ତୁରନ୍ତ ସଂଶୋଧନ ନିର୍ଦ୍ଦେଶ ଦିଆଯିବ । କୋର୍ଟ ଏହା ମଧ୍ୟ ଆଶ୍ୱାସନା ଦେଇଛନ୍ତି ଯେ, ଏହି ପ୍ରକ୍ରିୟା ଯୋଗୁଁ କୌଣସି ଯୋଗ୍ୟ ଭୋଟର ଯେପରି ତାଙ୍କ ମତଦାନ ଅଧିକାରରୁ ବଂଚିତ ନ ହୁଅନ୍ତି ତାହା ନିଶ୍ଚିତ କରାଯିବ ।