ନୂଆଦିଲ୍ଲୀ: ଗୋବରରୁ ତିଆରି ଚିପ ମୋବାଇଲରୁ ନିର୍ଗତ ଆଣ୍ଟି-ରେଡିଏସନ ରୋକିପାରିବ। ରାଷ୍ଟ୍ରୀୟ କାମଧେନୁ ଆୟୋଗ ବା ଆରକେଏ ର ଚେୟାରମ୍ୟାନ୍ ବଲ୍ଲଭ ଭାଇ କଥିରିଆ କହିଛନ୍ତି । ଗାଈ ଗୋବରରୁ ନିର୍ମିତ ଚିପ ମୋବାଇଲ ଫୋନରୁ ନିର୍ଗତ ରେଡିଏସନ କମ୍ କରିବା ଦିଗରେ ସହାୟକ ହେବ। ସୋମବାର ସେ ଗାଈ ଗୋବରରୁ ନିର୍ମିତ ଏକ ଚିପ୍ ଲଞ୍ଚ କରିଛନ୍ତି।
କାମଧେନୁ ଦିପାବଳୀ ଅଭିଯାନର ଶୁଭାରମ୍ଭ ଅବସରରେ ବଲ୍ଲଭଭାଇ କହିଛନ୍ତି, ଗୋବର ବିକିରିଣରୁ ସୁରକ୍ଷା ଦେବ ବୋଲି ବିଜ୍ଞାନ ଦ୍ୱାରା ପରୀକ୍ଷାରୁ ସଫଳ ହୋଇଛି। ଗୋବରରୁ ପ୍ରସ୍ତୁତ ଚିପର ନାମ ‘ଗୌସ୍ତବ କବଚ’। ଏହା ଶ୍ରୀଜି ଗୌଶାଳ ଦ୍ୱାରା ତିଆରି ହୋଇଛି। ଏହି କମ୍ପାନୀ ଗୁଜରାଟ ରାଜକୋଟରେ ରହିଛି। ଗୋବରରୁ ଚିପ୍ ତିଆରି କରିବା ନେଇ ଏହି କମ୍ପାନୀ ୨୦୧୯ରେ ପ୍ରତିଷ୍ଠା ହୋଇଥିଲା।
ଅନ୍ୟପଟେ ଆଗକୁ ପାର୍ବଣ ଋତୁ ଆସୁଛି। ଏହି ସମୟରେ ଚାଇନା ଦ୍ୱାରା ପ୍ରସ୍ତୁତ ଦୀପ ଏବଂ ଫୋଟକା ବ୍ୟବହାର ନକରିବାକୁ ଆରକେଏ ଅପିଲ୍ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେକ୍ ଇନ୍ ଇଣ୍ଡିଆ ଏବଂ ସ୍ୱଦେଶୀ ଆନ୍ଦୋଳନ ଅଭିଯାନ ଏହା ଦ୍ୱାରା ସଫଳ ହେବ ବୋଲି ସେ କହିଛନ୍ତି। ଯାହାକୁ ନେଇ ଭାରତରେ ଏହି ଚିପର ଅଧିକ ଚାହିଦା ରହିବ ବୋଲି ଆଶା କରଯାଉଛି ।