କୋଭିଡ ନିୟମ ଉଲ୍ଲଂଘନକାରୀ ମନ୍ତ୍ରୀ ଓ ବିଧାୟକଙ୍କ ନାଁରେ କୋର୍ଟରେ ମାମଲା

ପୁରୀ(ଏସ ନ୍ୟୁଜ ): ପୂର୍ବତନ ମନ୍ତ୍ରୀ ତଥା ପିପିଲିର ସ୍ବର୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ଅନ୍ତିମ ସଂସ୍କାରରେ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ଓ ବିଧାୟକ ଉମା ସାମନ୍ତରାୟଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ନ୍ୟାୟାଳୟର ଦ୍ବାରସ୍ଥ ହୋଇଛି ଜଗନ୍ନାଥ ସେନା। ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଉଭୟଙ୍କ ନାମରେ ପୁରୀ ଏସଡିଜେଏମ୍ କୋର୍ଟରେ ଏକ ମାମଲା ଦାୟର୍ କରିଛନ୍ତି। ପୂର୍ବରୁ ପୁରୀ ସମୁଦ୍ର କୂଳ ଥାନାରେ ଏନେଇ ଏତଲା ଦେବା ପରେ ପୁଲିସର କାର୍ଯ୍ୟାନୁଷ୍ଠାନରେ ସନ୍ତୁଷ୍ଟି ନଥିବାରୁ ଜଗନ୍ନାଥ ସେନା ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଉଛି।

ସୂଚନାଯୋଗ୍ୟ, ଗତ ୪ ତାରିଖ ଦିନ ପୁରୀର ସ୍ୱର୍ଗଦ୍ୱାରରେ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ଅନ୍ତିମ ସଂସ୍କାରରେ ଶହ ଶହ ଲୋକଙ୍କ ଭିଡ଼ ନେଇ ପୁରୀରେ ଥାନାରେ ଏତଲା ଦେଇଥିଲା ଜଗନ୍ନାଥ ସେନା । ପୁରୀ ସମୁଦ୍ର କୂଳ ଥାନାରେ ଏନେଇ ଏତଲା ଦେଇଥିଲେ ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ । କାରଣ ଅନ୍ତିମ ସଂସ୍କାର କାର୍ଯ୍ୟରେ ଯୋଗ ଦେଇ ବିଧାୟକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ବିଧାୟକ ଉମା ସାମନ୍ତରାୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସଂକ୍ରମିତ ବ୍ୟକ୍ତି କିପରି ଅନ୍ତିମ ସଂସ୍କାରରେ ସାମିଲ ହୋଇଥିବା ଅଭିଯୋଗ ଆଣି ପ୍ରଶ୍ନ ଉଠାଇଥିଲା ଜଗନ୍ନାଥ ସେନା ।
ସେନା ପକ୍ଷରୁ ଅଭିଯୋଗ ହୋଇଥିଲା ଯେ ସରକାର କରୋନା କାଳରେ ଅନ୍ତିମ ସଂସ୍କାର ପାଇଁ ସୀମିତ ଲୋକଙ୍କ ସମାଗମ ନେଇ ନିୟମ ରଖିଛନ୍ତି । ଏହା ପରେ ବି କିପରି ଏତେ ସଂଖ୍ୟାରେ ଜନଗହଳି ହେଲା ଓ ପ୍ରଶାସନ ନୀରବ ରହିଲା ସେନା ପକ୍ଷରୁ ଏ ନେଇ ମଧ୍ୟ ଅଭିଯୋଗ ହୋଇଥିଲା । ତେଣୁ ଏହି ନିୟମ ଉଲ୍ଲଂଘନକାରୀଙ୍କୁ ଗିରଫ କରିବାକୁ ଦାବି କରିଥିଲା ଜଗନ୍ନାଥ ସେନା।