‘ସୁଜଳ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର (ଏସ ନ୍ୟୁଜ ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ସୁଜଳ’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଯୋଜନା ପ୍ରାଥମିକ ପର୍ଯ୍ୟାୟରେ ୨ଟି ସହର ପୁରୀ ଓ ଭୁବନେଶ୍ବରରେ ଆରମ୍ଭ ହୋଇଛି। ଏହି ୨ଟି ସହରର ୧.୮୦ ଲକ୍ଷ ଲୋକ ଯୋଜନା ମାଧ୍ୟମରେ ଉପକୃତ ହେବେ। ମୋଟ ୧୨ଟି ସ୍ଥାନରେ ଟ୍ୟାପ୍‌ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଯୋଜନା ଲୋକାର୍ପିତ ହୋଇଛି ।

ତେବେ ପର୍ଯ୍ୟାୟ କ୍ରମେ ରାଜ୍ୟର ସବୁ ଅଞ୍ଚଳରେ ଏହା କାର୍ଯ୍ୟକାରୀ ହେବ। ଭୁବନେଶ୍ବର ସାଲିଆ ସାହିରେ ପ୍ରଥମେ ଆରମ୍ଭ ହୋଇଛି। ପୁରୀକୁ ବହୁ ପର୍ଯ୍ୟଟକ ଆସୁଥିବାରୁ ସେଠାରେ ମଧ୍ୟ ଆରମ୍ଭ ହୋଇଛି। ଏହି ଯୋଜନା ଯୋଗୁଁ ପ୍ରାୟ ୧୫ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ ।ଏହା ଦ୍ବାରା ପୁରୀରେ ପ୍ଲାଷ୍ଟିକ ପ୍ରଦୂଷଣ କମିବା ସହ ସମସ୍ତଙ୍କୁ ବିଶୁଦ୍ଧ ପାଣି ଯୋଗାଇବା ଆମର ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମାର୍ଚ୍ଚ ୨୦୨୨ ସୁଦ୍ଧା ସବୁ ସହରାଞ୍ଚଳରେ ପାଇପ୍‌ରେ ପାଣି ମିଳିବ।

ଏ କ୍ଷେତ୍ରରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ହେବ। ଏଥିପାଇଁ ରାଜ୍ୟ ସରକାର ୧୩୦୦ କୋଟି ଟଙ୍କା ଖର୍ଚ୍ଚ କରିବେ । ତେବେ ଭୁବନେଶ୍ୱର ହେଉଛି ସମଗ୍ର ଭାରତର ପ୍ରଥମ ମିଲିଅନ ପ୍ଲସ୍‌ ସହର, ଯେଉଁଠି ଶତ ପ୍ରତିଶତ ଘରକୁ ଜଳ ସଂଯୋଗ ଓ ଯୋଗାଣ କାର୍ଯ୍ୟକ୍ରମ ସଂପୂର୍ଣ୍ଣ ହୋଇଛି ।

ରାଜ୍ୟର ୪ଟି ସହର ଭୁବନେଶ୍ୱର, ପୁରୀ, ରାଉରକେଲା ଓ ବ୍ରହ୍ମପୁରରେ ୩ଲକ୍ଷ ଗୃହକୁ ପାନୀୟ ଜଳ ଯୋଗାଣ ପାଇଁ ମିଟର ସଂଯୋଗ ହୋଇଛି । ଏଥିରେ ଉପକୃତ ହେବେ ୨୨ଲକ୍ଷ ଲୋକ । ଏହାସହ ରାଜ୍ୟର ୧୫ଟି ସହରରେ ଟ୍ୟାପ୍ ସଂଯୋଗ, ପ୍ରତି ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣର ଶୁଭାରମ୍ଭ କରୁଛନ୍ତି ମୁଖ୍ୟମନ୍ତ୍ରୀ । ଉତ୍ତମ ଲୋକସମ୍ପର୍କ ଓ ପାନୀୟ ଜଳ ଯୋଗାଣ ପରିଚାଳନା ପାଇଁ ୨୧୮ଜନସାଥୀଙ୍କୁ ନିଯୁକ୍ତି ଦିଆଯାଇଛି । ପ୍ରବାସୀ ଶ୍ରମିକଙ୍କୁ ପାଇପ ମିସ୍ତ୍ରି ଭାବେ ତାଲିମ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି । ଲୋକଙ୍କ ଅଭିଯୋଗର ସମାଧାନ ପାଇଁ ୨୪ଘଣ୍ଟିଆ ସହାୟତା କେନ୍ଦ୍ର ଖୋଲିଛି । ମୋବାଇଲ ପାନୀୟ ଜଳ ପରୀକ୍ଷାଗାରର ଶୁଭ ଉଦଘାଟନ ସହ ପାନୀୟ ଜଳ ସମସ୍ୟାର ସମାଧାନ ନିମନ୍ତେ ତ୍ବରିତ ସହାୟତା ଟିମ୍ ପହଞ୍ଚିବ ।