ପାଣାଜୀ: ଟିକ୍ଟକ୍ ଷ୍ଟାର ଓ ବିଜେପି ନେତ୍ରୀ ସୋନାଲି ଫୋଗଟ୍ଙ୍କ ମୃତ୍ୟୁ ମାମଲାରେ ଜଣେ ନିଶା ବେପାରୀକୁ ଗୋଆ ପୁଲିସ ଗିରଫ କରିଛି । ଏ ପର୍ଯ୍ୟନ୍ତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଗଲାଣି । ସୋନାଲିଙ୍କ ବ୍ୟକ୍ତିଗତ ସଚିବ ସୁଧୀର ସାଙ୍ଗୱାନ୍ ପୁଲିସ ନିକଟରେ ସବୁ ସତ ଓଗାଳିଛି । ଘଟଣା ଦିନ ସୋନାଲିଙ୍କ ଅଜାଣତରେ ପାନୀୟ ସହିତ ଡ୍ରଗ୍ସ ମିଶାଇ ପିଆଇ ଦିଆଯାଇଥିଲା । ପାନୀୟ ପିଇବାର କିଛି ସମୟ ଭିତରେ ସୋନାଲି ଅସ୍ୱାଭାବିକ ଅନୁଭବ କରିଥିଲେ । ସେ ଠିକ୍ ଭାବରେ ଠିଆ ହୋଇପାରୁ ନଥିଲେ ।
ପୁଲିସ ଅନୁସନ୍ଧାନ କରି କୁର୍ଲିସ ରେଷ୍ଟୁରାଂଟ ଶୌଚାଳୟରୁ ଡ୍ରଗ୍ସ ପାଇଥିଲା । ସୋନାଲିଙ୍କୁ ଦିଆଯାଇଥିବା ନିଷିଦ୍ଧ ଡ୍ରଗ୍ସ ହେଉଛି ‘ମେଟାମେମ୍ଫାଟାମାଇନ୍’ । ଉକ୍ତ ଡ୍ରଗ୍ସ ଦେଇଥିଲା ଦତାପ୍ରସାଦ ଗୋନ୍କର । ସେ ହୋଟେଲ ଗ୍ରାଣ୍ଡ ଲିଓନି ରିସର୍ଟରେ ରୁମ୍ ବୟ ଭାବେ କାମ କରେ । ଉକ୍ତ ରିସର୍ଟରେ ସୋନାଲି ରହିଥିଲେ ।
ସୋନାଲିଙ୍କ ମୃତ୍ୟୁକୁ ପ୍ରଥମେ ଦୃଦଘାତ କାରଣରୁ କୁହାଯାଉଥିଲା । ପରିବାର ଲୋକ ସୁଧୀର ସାଙ୍ଗୱାନ୍ଙ୍କ ଉପରେ ସନ୍ଦେହ କରି ଥାନାରେ ଅଭିଯୋଗ କରିବାରୁ ଗୋଆ ପୁଲିସ ଏବେ ଡ୍ରଗ୍ସ ଦୃଷ୍ଟିକୋଣରୁ ତଦନ୍ତ କରୁଛି । ମାମଲାଟି ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମାମଲା ଭଳି ଫିକା ପଡ଼ି ନଯାଉ; ସେହି ଆଶଙ୍କାରେ ସୋନାଲିଙ୍କ ପରିବାର ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ସାକ୍ଷାତ କରି ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି ।