ଭାଇର ମୃତଦେହ ବୋହିଲା ୧୦ ବର୍ଷର ବାଳୁତ

ଯୋଗୀଙ୍କ ସରକାର ହରାଇଛନ୍ତି ମାନବିକତା

ଲକ୍ଷଣଉ: ଯୋଗୀ ଆଦିତ୍ୟନାଥଙ୍କ ସରକାର ଲୋକପ୍ରିୟତାର ମିଛ ଖୋଳାପା ପିନ୍ଧିଛନ୍ତି । ଯୋଗୀଙ୍କ ଦ୍ୱିତୀୟ ପାଳିରେ ସରକାରୀ କର୍ମଚାରୀଙ୍କ ଅମାନବିକତା ଆଚରଣ ଦେଖିବାକୁ ମିଳୁଛି । ନିଷ୍ଠୁର ମା’ ହାତରେ ପ୍ରାଣ ହରାଇଥିବା ଶିଶୁଟିର ମୃତଦେହକୁ ଘରେ ପହଂଚାଇବା ପାଇଁ ଡାକ୍ତରଖାନାର କୌଣସି କର୍ମଚାରୀ ସାହାଯ୍ୟ କରି ନଥିଲେ । ମୃତ ଶିଶୁଟିର ବାପା ଓ ୧୦ ବର୍ଷର ଭାଇ କାନ୍ଧରେ ପିଲାଟିର ପ୍ରାଣହୀନ ଶରୀରକୁ ପକାଇ ବାଟ ଚାଲୁଥିଲେ । ବିଚରା ବାପା ମୃତଦେହକୁ ବୋହି କିଛି ବାଟ ଚାଲୁଥିଲେ ତ କେତେବେଳେ ୧୦ ବର୍ଷର ପୁଅ ଭାଇର ମୃତଦେହକୁ କାନ୍ଧରେ ପକାଇ ବାଟ ଚାଲୁଥିଲା ।

ଡାକ୍ତରଖାନାର ମୁଖ୍ୟଙ୍କୁ ଏ ବିଷୟରେ ପଚାରିବାରୁ ସେ କହିଲେ, ମୃତ ପିଲାଟିର ବାପାକୁ ପୁଲିସ ୫୦୦ ଟଙ୍କା ଦେଇଥିଲା । ଯଥା ସମୟରେ ଗାଡ଼ି ଉପଲବ୍ଧ ନଥିବାରୁ ପିଲାଟିର ବାପାଙ୍କୁ ଅପେକ୍ଷା କରିବା ପାଇଁ କୁହାଯାଇଥିଲା । ମାତ୍ର ସେ ତାଙ୍କ ଇଛାରେ ଶବଟିକୁ ଧରି ପଳାଇଲେ; ଅବଶ୍ୟ ପରେ ଆମ କର୍ମଚାରୀମାନେ ଶବବାହକ ଗାଡ଼ି ଧରି ସେମାନଙ୍କ ନିକଟରେ ପହଂଚିଥିଲେ । ତେବେ ଡାକ୍ତରଖାନା ଅଧିକାରୀଙ୍କ କଥାରେ ମିଛ ବହୁତ ଓ ସତ କମ ଜଣାପଡୁଥିଲା ।

ଘଟଣାଟି ହେଉଛି, ସାବତ ମା’ ରାଗରେ ତା’ର ଦୁଇବର୍ଷର ପିଲାଟିକୁ ଦିଲ୍ଲୀ-ଯମୁନୋତ୍ରୀ ରାଜପଥ ଉପରକୁ ଫୋପାଡ଼ି ଦେଲେ । ଠିକ୍‌ ସେହି ସମୟରେ ଦ୍ରୁତଗତିରେ ଆସି ଗାଡ଼ିଟିଏ ପିଲାଟି ଉପରେ ମାଡ଼ିଗଲା । ପିଲାଟି ଘଟଣାସ୍ଥଳରେ ମରିଗଲା । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ଅଭିଯୁକ୍ତ ମହିଳାଙ୍କୁ ଗିରଫ କଲା । ପିଲାଟିର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଲା । ବ୍ୟବଚ୍ଛେଦ ପରେ ମୃତ ପିଲାଟିକୁ ତା’ର ବାପାଙ୍କ ହାତକୁ ଟେକି ଦିଆଗଲା । ମାତ୍ର ମୃତ ଶିଶୁଟିକୁ ଘରକୁ ନେବା ପାଇଁ ଡାକ୍ତରଖାନା କର୍ତୃପକ୍ଷ ଗାଡ଼ିଟିର ବନ୍ଦୋବସ୍ତ କଲାନାହିଁ । ଫଳରେ ପିଲାଟିର ମୃତ ଶରୀରଟିକୁ କାନ୍ଧରେ ପକାଇ ବାପା ଓ ୧୦ ବର୍ଷର ପୁଅ ବାଟ ଚାଲୁଥିଲେ ।