ବିଜେପି ବିଧାୟକଙ୍କୁ ବର୍ଷକ ପାଇଁ ଦିଲ୍ଲୀ ବିଧାନସଭା ମନା
ବାଚସ୍ପତିଙ୍କ ବାରମ୍ବାର ତାଗିଦ ସତ୍ୱେ ବିଜେନ୍ଦ୍ର ହଙ୍ଗାମା ଜାରି ରଖିଥିଲେ….
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ଭିତରକୁ ପ୍ରବେଶ କରିବା ପାଇଁ ବିଜେପି ବିଧାୟକ ବିଜେନ୍ଦ୍ର ଗୁପ୍ତାଙ୍କୁ ଏକବର୍ଷ ପାଇଁ ବାରଣ କରାଯାଇଛି । ଦିଲ୍ଲୀ ବିଧାନସଭାର ବଜେଟ୍ ଅଧିବେଶନ ଚାଲିଛି । ରାଜ୍ୟ ବଜେଟ୍ ଉପସ୍ଥାପନ ସଂପର୍କୀତ ସମସ୍ୟା ଦୂରୀଭୂତ ହୋଇଯାଇଛି । ବଜେଟ୍ ଉପସ୍ଥାପନ ପାଇଁ ଗୃହ ବିଭାଗ ଅନୁମତି ପ୍ରଦାନ କରିଛି । ମାତ୍ର ତା’ରି ଭିତରେ ବିଜେପି ବିଧାୟକ ବିଜେନ୍ଦ୍ରଙ୍କୁ ଆଗାମୀ ବଜେଟ୍ ଅଧିବେଶନ ପର୍ଯ୍ୟନ୍ତ ବିଧାନସଭା ବାହାରେ ରଖି ଦିଆଯାଇଛି । ବଜେଟ୍ ଅଧିବେଶନ କାଳରେ ହଙ୍ଗାମା କରୁଥିôବା କାରଣରୁ ବିଜେନ୍ଦ୍ରଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବାଚସ୍ପତି ।
କୁହାଯାଉଛି ଦିଲ୍ଲୀ ବିଧାନସଭାରେ ବଜେଟ୍ ଆଗତ ପୂର୍ବରୁ ବିଧାୟକ ବିଜେନ୍ଦ୍ର ସିଂ ବଜେଟ୍ ସଂପର୍କୀତ ତଥ୍ୟକୁ ସାର୍ବଜନୀନ କରିଛନ୍ତି । ବାଚସ୍ପତିଙ୍କ ବାରମ୍ବାର ତାଗିଦ ସତ୍ୱେ ବିଜେନ୍ଦ୍ର ହଙ୍ଗାମା ଜାରି ରଖିଥିଲେ । ମଙ୍ଗଳବାର ଦିନ ଦୁଇଟାରେ ଅଧିବେଶନ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିଜେନ୍ଦ୍ର ଆପଣା ଆସନରେ ଠିଆ ହୋଇ ଗର୍ଜନ ତର୍ଜନ କରିବାରୁ ଆପ୍ ବିଧାୟକ ସଞ୍ଜୀବ ଝା’ ବିଜେନ୍ଦ୍ରଙ୍କୁ ଏକବର୍ଷ ପାଇଁ ବିଧାନସଭାରୁ ବାହାର କରିଦେବା ପାଇଁ ଦାବି ଆଗତ କଲେ । ସାଙ୍ଗେ ସାଙ୍ଗେ ପ୍ରସ୍ତାବଟି ସଦନର ଅନୁମୋଦନ ଲାଭ କଲା । ବାଚସ୍ପତି ବିଧାୟକ ବିଜେନ୍ଦ୍ରଙ୍କୁ ଏକବର୍ଷ ପାଇଁ ବିଧାନସଭା କାର୍ଯ୍ୟରୁ ନିଲମ୍ବନ ଘୋଷଣା କଲେ ।
ଗଣମାଧ୍ୟମ ଆଗରେ ବିଧାୟକ ବିଜେନ୍ଦ୍ର ଗୁପ୍ତା କହିଛନ୍ତି, ଦିଲ୍ଲୀର ଆପ ସରକାର ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଉଲ୍ଲଙ୍ଘନ କରିଛି । ଯୋଉଭଳି ଭାବରେ ବଜେଟ ଚିଠାକୁ ସାର୍ବଜନୀନ କରାଯାଇଛି । ତା’ ଉପରେ ଆମେ ପ୍ରଶ୍ନ ପଚାରିବାରୁ ସରକାରଙ୍କ ପାଖରେ କୌଣସି ଜବାବ ନଥିଲା । ବାଚସ୍ପତି ଆଲୋଚନା ପାଇଁ ମୋତେ ଡାକିଲେ । ମୁଁ ତାଙ୍କ ଚାମ୍ବରକୁ ଯାଇ ଭେଟିଲି ।
ପରେପରେ ମୋତେ କହିବାକୁ ସୁଯୋଗ ଦିଆଗଲା । ମୁଁ କହିବା ଆରମ୍ଭ କରିବା ମାତ୍ରେ ମୋତେ ଏକବର୍ଷ ପାଇଁ ବିଧାନସଭା କାର୍ଯ୍ୟରୁ ନିଲମ୍ବନ କରିବା ଦାବି ଆସିଲା । ଜଣେ ନିର୍ବାଚିତ ଲୋକପ୍ରତିନିଧି ଭାବେ ମୋର କହିବାର ଅଧିକାର ଅଛି । ମୋତେ କହିବାରୁ ବାରଣ କରାଗଲା । ଆଜି ମୁଁ ଅସହାୟ ମନେକରୁଛି ।