ଓଡ଼ିଶାରେ ଦୁର୍ବଳ ହେଉଛି ଆପ୍‌ ସ୍ଥିତି

ମାତ୍ର କିଛିଦିନ ପରେ ସବୁକିଛି ଥଣ୍ଡା ପଡ଼ିଗଲା….

ଭୁବନେଶ୍ୱର: ପଂଚାୟତ ଓ ପୌର ନିର୍ବାଚନ ପରେପରେ ରାଜ୍ୟବାସୀଙ୍କ ଦୃଷ୍ଟିକୁ ଆକର୍ଷଣ କରିଥିଲା ଆମ୍‌ ଆଦ୍‌ମୀ ପାର୍ଟି । ପଞ୍ଜାବରେ ଆପ୍‌ ସରକାର ଗଠନ ହେବାର ଖୁସି ଓଡ଼ିଶାବାସୀଙ୍କ ମନକୁ ଆନ୍ଦୋଳିତ କରିଥିଲା । ଆପ୍‌ ରାଜ୍ୟନେତାମାନେ ସବୁ ବିଧାନସଭା ଆସନକୁ ଖେଦିଗଲେ । ଆପ୍‌ର କିଛି କେନ୍ଦ୍ରୀୟ ନେତାମାନେ ଓଡ଼ିଶାକୁ ଆସି କର୍ମୀ ଓ ଲୋକଙ୍କ ମନରେ ଏକ ଜାଗରଣ ସୃଷ୍ଟି କଲେ ।

ମାତ୍ର କିଛିମାସ ଭିତରେ ସବୁ ବଦଳିଗଲା । ଓଡ଼ିଶା ଦାୟିତ୍ୱରେ ଥିବା ଆପ୍‌ ନେତାମାନେ କ୍ରମେ ବିଜେଡି ଗୁହାଳରେ ବନ୍ଧା ପଡ଼ିଲେଣି । ତେଣୁ ଆଗାମୀ ନିର୍ବାଚନରେ ଓଡ଼ିଶାରେ ଆପ୍‌ ସେଭଳି କିଛି ଚକ୍‌ମା କରିବାର ନାହିଁ ବୋଲି ଏକ ବିତର୍କ ଆରମ୍ଭ ହୋଇଛି । ଆପ୍‌ର ରାଜ୍ୟ ମୁଖ୍ୟ କିଛି ହାତଗଣତି ଲୋକଙ୍କୁ ନେଇ ଅରବିନ୍ଦ କେଜ୍ରିୱାଲଙ୍କ ନିକଟରେ ଠିଆ କରାଇ ସବୁକିଛି ଠିକ୍‌ ଚାଲିଥିବା କହୁଛନ୍ତି ।

ମାତ୍ର ପ୍ରକୃତ କଥା ହେଉଛି, ଆପ୍‌ ରାଜ୍ୟ ମୁଖ୍ୟଙ୍କ ମନମାନିରେ ଅତିଷ୍ଠ ହୋଇ ରାଇରଙ୍ଗପୁର, ମୟୁରଭଞ୍ଜ, ସୁନ୍ଦରଗଡ଼, ବଲାଙ୍ଗୀର, ଗଞ୍ଜାମ, କୋରାପୁଟ, ରାଉରକେଲା, ଝାରସୁଗୁଡ଼ା ଭଳି ଇଲାକାର ଆପ୍‌ କର୍ମୀମାନେ ଦଳ ଛାଡ଼ି ସାରିଲେଣି । ସାଧାରଣ ନିର୍ବାଚନ ପୂର୍ବରୁ ଦଳକୁ ଗୋଟିଏ ସୂତ୍ରରେ ବାନ୍ଧି ରଖି ପାରୁ ନଥିବା ନେତାମାନେ ଅରବିନ୍ଦଙ୍କ ଆଶା ଓ ବିଶ୍ୱାସକୁ ଅତୁଟ ରଖିପାରିବେ ତ? ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ବହୁ ଆଂଚଳିକ ସମସ୍ୟା ଥିବା ସତ୍ୱେ ଆପ୍‌ ସେଗୁଡ଼ିକୁ ଅଣଦେଖା କରୁଛି।

ଲୋକଙ୍କ ମନକୁ କିଣିଲା ଭଳି ପ୍ରସଙ୍ଗକୁ ଉପେକ୍ଷା କରି ଆପଣା ନୀତିରେ ଚାଲିଛି । ରାଜ୍ୟରେ ଦଳିତ, ଜନଜାତି, ଆଦିବାସୀ, ପଛୁଆ ବର୍ଗକୁ ଜାବୁଡ଼ି ଧରିବାର ପ୍ରକ୍ରିୟାକୁ ଆପ୍‌ ସଂପୂର୍ଣ୍ଣ ଏଡ଼ାଇ ଯାଉଛି । ବିଜୁଳି ବିତରଣ ଓ ଶୁଳ୍କକୁ ପ୍ରସଙ୍ଗ କରି ଆପ୍‌ ରାଜ୍ୟବାସୀଙ୍କ ବିଶ୍ୱାସଭାଜନ ହେବାକୁ ଚେଷ୍ଟା କଲା । ମାତ୍ର କିଛିଦିନ ପରେ ସବୁକିଛି ଥଣ୍ଡା ପଡ଼ିଗଲା ।