ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ଦିଲ୍ଲୀର ଉପ-ମୁଖ୍ୟମନ୍ତ୍ରୀ ମନିଷ ସିସୋଦିୟାଙ୍କୁ ଗିରଫ କରିଛି ସିବିଆଇ । ସିସୋଦିୟାଙ୍କୁ ପ୍ରାୟ ଆଠଘଂଟା ଧରି ଜେରା କରିବା ପରେ ସିବିଆଇ ତାଙ୍କୁ ଗିରଫ କରିବାକୁ ବାଧ୍ୟ ହୋଇଛି । ଅବକାରୀ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ମୁହଁରୁ ସିସୋଦିୟାଙ୍କ ନାମ ଶୁଣିବାକୁ ପାଇଥିଲା ସିବିଆଇ । ସଂପୃକ୍ତ ଅଧିକାରୀ ସିବିଆଇକୁ କହିଛନ୍ତି, ସିସୋଦିୟା ଏଭଳି ଅବକାରୀ ନୀତି ତିଆରି କରିଥିଲେ ଯେପରି ସରକାରଙ୍କ ତୁଳନାରେ ବ୍ୟବସାୟୀଙ୍କୁ ଅଧିକ ଫାଇଦା ହେବ ।
ଉକ୍ତ ବୟାନକୁ ଢାଲ କରି ସିବିଆଇ ସିସୋଦିୟାଙ୍କୁ ଜେରା କରିବାକୁ ନୋଟିସ୍ ପଠାଇଥିଲା । ତ୍ରୁଟିପୂର୍ଣ୍ଣ ଅବକାରୀ ନୀତିରୁ ଖସିବା ପାଇଁ ସିସୋଦିୟା ଯାବତୀୟ ତଥ୍ୟ ପ୍ରମାଣ ନଷ୍ଟ କରିଥିବା ବିଷୟ ସଂପୃକ୍ତ ଅଧିକାରୀ କହିଥିଲେ । ତହୁଁ ସିବିଆଇ ଅଧିକାରୀମାନେ ସିସୋଦିୟା ଓ ଅଧିକାରୀଙ୍କୁ ସାମ୍ନାସାମ୍ନି ବସାଇ ବହୁ ପ୍ରଶ୍ନ ପଚାରିଥିଲେ ଯାହାର ପରିଣାମ ସ୍ୱରୂପ ସିସୋଦିୟା ଅଧିକାଂଶ ପ୍ରଶ୍ନର ଜବାବ ଦେଇ ନଥିଲେ । ଆସନ୍ତାକାଲି ତାଙ୍କୁ କୋର୍ଟଚାଲାଣ କରାଯିବ ।
ଆମ୍ ଆଦ୍ମୀ ପାର୍ଟି (ଆପ୍) ରାଜ୍ୟସଭା ସଭ୍ୟ ସଂଜୟ ସିଂହ ପ୍ରତିକ୍ରିୟାରେ କହିଛନ୍ତି ଯେ ସିସୋଦିୟାଙ୍କ ଗିରଫଦାରୀ କେନ୍ଦ୍ର ସରକାରଙ୍କ ଷଡ଼ଯନ୍ତ୍ର । ରବିବାର ଦିନଟି ଗଣତନ୍ତ୍ର ପାଇଁ କଳା ଦିନ ।
ସୂଚନା ମୁତାବକ ସିବିଆଇ ଅଫିସକୁ ଯିବା ପୂର୍ବରୁ ସିସୋଦିୟା ପ୍ରଥମେ ତାଙ୍କ ମା’ଙ୍କ ଆଶୀର୍ବାଦ ନେଇଥିଲେ ।
ରୋଡ୍ ଶୋ’ କରି ସିବିଆଇ ଅଫିସରେ ପହଂଚିଥିଲେ । ହଜାର ହଜାର ଆପ୍ ସମର୍ଥକ ସିସୋଦିୟାଙ୍କ ସହିତ ସିବିଆଇ ଅଫିସ ନିକଟରେ ପହଂଚିବା ପରେ ଧାରଣାରେ ବସିଥିଲେ । ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ ସିବିଆଇ ମୁଖ୍ୟାଳୟ ବାହାରେ ଧାରା-୧୪୪ ଲାଗୁ କରିଥିଲା । ଦିଲ୍ଲୀ ମନ୍ତ୍ରୀ ଗୋପାଲ ରାୟ ଓ ସାଂସଦ ସଂଜୟ ସିଂହଙ୍କ ସମେତ ବହୁ ଆପ୍ ନେତାଙ୍କୁ ପୁଲିସ ଗିରଫ କରିଛି ।