ଦିଲ୍ଲୀ ହିଂସା ମାମଲାରେ ଉମର ଖାଲିଦ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ମାମଲାରେ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ଉମର ଖାଲିଦ ଗିରଫ । ରବିବାର ବିଳମ୍ବିତ ରାତିରେ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ଟିମ୍ ବେଆଇନ ଗତିବିଧି ରୋକିବା ଅଧିନିୟମ ୟୁଏପିଏ ଆଧାରରେ ଖାଲିଦଙ୍କୁ ଗିରଫ କରିଛି । ଦିଲ୍ଲୀ ହିଂସା ପାଇଁ ସେ ଷଡଯନ୍ତ୍ର କରିଥିବା ପ୍ରମାଣ ମିଳିବା ପରେ ହିଁ ପୋଲିସ ତାଙ୍କୁ ଗିରଫ କରିଛି ।

ସୂଚନା ଅନୁସାରେ ସମନ ପଠାଇ ତାଙ୍କୁ ପଚରାଉଚରା କରିବା ପାଇଁ ଡାକିଥିଲା ପୋଲିସ୍ । ପ୍ରାୟ ୧୧ ଘଂଟା ପଚରାଉଚରା କରାଯିବା ପରେ ସେ ହିଂସା ପାଇଁ ଉସକାଇଥିବା ପ୍ରମାଣ ମିଳିଥିଲା । ଏହା ପରେ ହିଁ ପୋଲିସ ତାଙ୍କୁ ଗିରଫ କରିଥିବା ସୂଚନା ଦେଇଛି ।


ଅନ୍ୟପଟେ ଏହି ଗିରଫଦାରୀକୁ ବିରୋଧ କରିଛି ‘ୟୁନାଇଟେଡ୍ ଏଗନେଷ୍ଟ ହେଟ୍’ ଗ୍ରୁପ୍ । ଏଥିସହ ତାଙ୍କୁ ଅଧିକରୁ ଅଧିକ ସୁରକ୍ଷା ଯୋଗାଇ ଦେବାକୁ ଗ୍ରୁପ୍ ପକ୍ଷରୁ ଦାବି କରାଯାଇଛି । ଏପରିକି ଗିରଫ ପରେ ବି ସିଏଏ ଓ ଏନଆରସି ବିରୋଧରେ ଲଢ଼ାଇ ଜାରି ରହିବ ବୋଲି କୁହାଯାଇଛି । ପୂର୍ବରୁ ମଧ୍ୟ ଦିଲ୍ଲୀ ହିଂସା ମାମଲାରେ ଖାଲିଦଙ୍କୁ ପଚରାଉଚରା କରିଥିଲା ଦିଲ୍ଲୀ ପୋଲିସ୍ ।

ଏଠାରେ ସୂଚନାଥାଉକି ,ଚଳିତ ବର୍ଷ ଫେବ୍ରୁଆରୀ ମାସ ୨୩ ରୁ ୨୬ ତାରିଖ ମଧ୍ୟରେ ଏନଆରସିକୁ ବିରୋଧ ପ୍ରଦର୍ଶନ କରି ଉତ୍ତର ଦିଲ୍ଲୀରେ ହିଂସା ହୋଇଥିଲା । ଏଥିରେ ପ୍ରାୟ ୫୦ଜଣଙ୍କ ଜୀବନ ଯାଇଥିଲା ଓ ଶତାଧିକ ଲୋକ ଗୁରୁତର ଭାବେ ଆହତ ହୋଇଥିଲେ ।