ଧୋଲାବୀରା ବିଶ୍ୱ ଐତିହ୍ୟ ମାନ୍ୟତା ପାଇଲା

  • ନୂଆଦିଲ୍ଲୀ: ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇଛି ଭାରତର ଆଉ ଗୋଟିଏ ସ୍ଥାନ। ଗୁଜରାଟର ହରପ୍ପା ସହର ଧୋଲାବୀରାକୁ ବିଶ୍ୱ ଐତିହ୍ୟ ସ୍ଥଳର ମାନ୍ୟତା ଦିଆଯାଇଛି। ଜାତିସଂଘର ଐତିହ୍ୟ କମିଟି ଆଜି ଏହି ଘୋଷଣା କରିଛି।
    ଜାତିସଂଘ ବିଶ୍ୱ ଐତିହ୍ୟ କମିଟିର ୪୪ତମ ବୈଠକ ବର୍ତ୍ତମାନ କରୋନା ଯୋଗୁଁ ଅନଲାଇନରେ ଅନୁଷ୍ଠିତ ହେଉଛି। ଚାଇନାରୁ ଏହାକୁ ଅଧ୍ୟକ୍ଷତା କରାଯାଉଛି। ଏହି ବୈଠକରେ ବିଶ୍ୱର ବିଭିନ୍ନ ସ୍ଥାନର ସମୀକ୍ଷା କରାଯାଉଛି। ଏହାପରେ କେଉଁ ସ୍ଥାନକୁ ବିଶ୍ୱ ଐତିହ୍ୟ ମାନ୍ୟତା ମିଳିବ, ତା’ର ନିଷ୍ପତ୍ତି ହେଉଛି।
    ପୂର୍ବରୁ ଏହି କମିଟି ତେଲେଙ୍ଗାନାରେ ଥିବା ରୁଦ୍ରେଶ୍ୱାରା ମନ୍ଦିରକୁ ବିଶ୍ୱ ଐତିହ୍ୟ ସ୍ଥଳର ମାନ୍ୟତା ଦେଇଥିଲା। ଏହା ରାମାପ୍ପା ମନ୍ଦିରଭାବେ ମଧ୍ୟ ପରିଚିତ। କାକାଟିଆ ରୁଦ୍ରେଶ୍ୱାରା ମନ୍ଦିର ଜୁଲାଇ ୨୫ ତାରିଖରେ ବିଶ୍ୱ ଐତିହ୍ୟ ମାନ୍ୟତା ପାଇଥିବାବେଳେ ଆଜି ହରପ୍ପା ସହର ଧୋଲାବୀରାକୁ ସମାନ ମାନ୍ୟତା ମିଳିଛି।
    ଫଳରେ ଭାରତରେ ଏବେ ୪୦ଟି ସ୍ଥାନ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ ହୋଇଛି। ପୂର୍ବରୁ ଗୁଜରାଟର ପାବାଗଡ଼ାରେ ଥିବା ଚମ୍ପାନେର, ପାଟାନରେ ଥିବା ରାଣୀ କି ଭାବ ଓ ଅହମଦାବାଦ ବିଶ୍ୱ ଐତିହ୍ୟ ସ୍ଥାନର ମାନ୍ୟତା ପାଇଥିଲା। ସୂଚନାଯୋଗ୍ୟ, ୧୯୬୭ ମସିହାରେ ଏଏସ୍ଆଇ ଧୋଲାବୀରାକୁ ଆବିଷ୍କାର କରିଥିଲା। ଜାତିସଂଘ ଏହାକୁ ବିଶ୍ୱ ଐତିହ୍ୟ ମାନ୍ୟତା ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁସି ବ୍ୟକ୍ତ କରିଛନ୍ତି। ସେ ଧୋଲାବୀରାର କିଛି ଫଟୋ ପୋଷ୍ଟ କରି ଟ୍ୱିଟ କରିଛନ୍ତି। ସେ କହିଛନ୍ତି, ଏହି ଖବର ପାଇଁ ବହୁତ ଖୁସି ଲାଗୁଛି। ଧୋଲାବୀରା ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସହରୀ କେନ୍ଦ୍ର ଥିଲା। ଆମର ଅତୀତ ସହ ଏହାର ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ ରହିଛି। ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ୱ ଉପରେ ରୁଚି ରଖୁଥିବା ଲୋକ ଏଠାକୁ ଥରେ ନିଶ୍ଚିତ ଯାତ୍ରା କରନ୍ତୁ। ଧୋଲାବୀରା ଗୁଜରାଟର କଚ୍ଚ ଜିଲ୍ଲାର ମାସାର ଓ ମାନହର ନଦୀର ମିଳନ ସ୍ଥଳରେ ଅବସ୍ଥିତ। ଏହା ସିନ୍ଦୁ ସଭ୍ୟତାର ଏକ ପ୍ରାଚୀନ ତଥା ବିଶାଳ ସହର। ଜଳ ସଂରକ୍ଷଣର ପୁରାତନ ପ୍ରମାଣ ଏଠାରୁ ମିଳିଛି।