ରାଜ୍ୟବାସୀଙ୍କୁ ଭ୍ରମିତ କରିବା ପାଇଁ ମିଛୁଆ ରାଧୁଆର କାହାଣୀ କହୁଛନ୍ତି ମୁଖ୍ୟମନ୍ତ୍ରୀ:ଗୋଲକ ମହାପାତ୍ର

*ଜଗନ୍ନାଥ ଧାମ ଲୋକଙ୍କୁ ମୁଖ୍ୟମନ୍ତ୍ରୀ କେତେ ସତ କହୁଛନ୍ତି ?
*ଗ୍ରାମାଂଚଳରେ ୬୨ ଲକ୍ଷ ଓ ସହରାଂଚଳରେ ୮୦ଲକ୍ଷ ଲୋକ କେବେ ଟ୍ୟାପ ଯୋଗେ ବିଶୁଦ୍ଧ ପାଣି ପାଇବେ?
*୨୦୧୯-୨୦ରେ ଗ୍ରାମୀଣ ଜଳ ପାଇଁ ୩୬୪.୭୪ କୋଟିରୁ ମାତ୍ର ୨୭୫.୨କୋଟି ଖର୍ଚ୍ଚ ହୋଇଛି
*୨୦୨୦-୨୧ରେ ୮୧୨.୧୫ କୋଟିରୁ ମାତ୍ର ୬୦୯.୧୧କୋଟି ଖର୍ଚ୍ଚ କରିଛନ୍ତି ସରକାର
*ଚଳିତ ବର୍ଷ କେନ୍ଦ୍ର ସରକାର ଓଡିଶାକୁ ଜଳ ଜୀବନ ମିଶନରେ ୩୩୨୩କୋଟି ଟଙ୍କା ପ୍ରଦାନ କରିଛନ୍ତି
*ରାଜ୍ୟ ସରକାର ମିଛ ପ୍ରଚାର ନିଜର ପିଠି ଥାପୁଡାଇ ଓଡିଶାବାସୀଙ୍କୁ ଦିନରେ ଲଣ୍ଠନ ଦେଖାଇବା ବନ୍ଦ କରନ୍ତୁ

ଭୁବନେଶ୍ୱର, (ଏସ୍‌ ନ୍ୟୁଜ): ଗତକାଲି ମୁଖ୍ୟମନ୍ତ୍ରୀ ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପର ଉଦଘାଟନ କରି ପୁରୀବାସୀଙ୍କୁ ସ୍ୱଚ୍ଛ ପାଣି ଯୋଗାଇବେ ବୋଲି କହିଛନ୍ତି । ସମାନ ଢଙ୍ଗରେ ୧୩ ଅକ୍ଟୋବର ୨୦୨୦ରେ ମୁଖ୍ୟମନ୍ତ୍ରୀ ଏହି ଯୋଜନାକୁ ବିଜ୍ଞାପନ ଦେଇ ଲାଗୁ କରିଥିଲେ ବୋଲି କହିଥିଲେ । ସେହି ସମାନ ଯୋଜନାକୁ ପୁଣି ଗତକାଲି ଦୋହରାଇଲେ । ଦୁଇଟିଯାକ ବିଜ୍ଞାପନ ବିଭିନ୍ନ ଗଣମାଧ୍ୟମ ଓ ମୁଖ୍ୟମନ୍ତ୍ରୀଙ୍କ ଟୁଇଟର ସମେତ ବିଭିନ୍ନ ସୋସିଆଲ ମିଡିଆରେ ପ୍ରକାଶିତ ହୋଇଥିଲା । ୧୩ ଅକ୍ଟୋବର ୨୦୨୦ରେ ଉଲ୍ଲେଖ ଥିଲା ଟ୍ୟାପ୍‌ରେ ମିଳିବ ବିଶୁଦ୍ଧ ପାଣି ଆଜି ଗଣମାଧ୍ୟମରେ ବାହାରିଛି ପୁରୀବାସୀଙ୍କୁ ଟ୍ୟାପ୍‌ ଯୋଗେ ମିଳିବ ଶୁଦ୍ଧ ପାଣି । ତେବେ ସେଦିନ ରାଜ୍ୟସରକାର କେଉଁ ପାଣି ଦେଇଥିଲେ ଆଉ ଆଜି କେଉଁ ପାଣି ଦେଲେ ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର ପ୍ରଶ୍ନ କରିଛନ୍ତି ।
ଶ୍ରୀ ମହାପାତ୍ର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ୨୦୧୩ରେ କହିଥିଲେ ସାରା ବିଶ୍ୱରେ ଆମେ ଏକ ଆଜି ବି କହୁଛନ୍ତି ସାରା ବିଶ୍ୱରେ ଆମେ ଏକ । ଜଗନ୍ନାଥ ଧାମ ଲୋକଙ୍କୁ ମୁଖ୍ୟମନ୍ତ୍ରୀ କେତେ ସତ କହୁଛନ୍ତି ? ଜଗନ୍ନାଥଙ୍କ ଦେଶରେ କେଉଁଭଳି ଭାବରେ ରାଜ୍ୟସରକାର ରାଜ୍ୟବାସୀଙ୍କୁ ଭ୍ରମିତ କରିବା ପାଇଁ ମିଛୁଆ ରାଧୁଆର କାହାଣୀ କହୁଛନ୍ତି ଏହା ହେଉଛି ତାର ଏକ ଉଦାହରଣ ।
ଆଉ ଏକ ତଥ୍ୟ ରାଜ୍ୟ ସରକାର କହୁଛନ୍ତି ତାଙ୍କର ଆଉ ଏକ ୱେବସାଇଟର ନାମ ହେଉଛି Intigrated ସ୍ମାର୍ଟ water information management system । ୨୪ ଜୁଲାଇ ୨୦୨୧ ସୁଦ୍ଧା ରାଜ୍ୟର ସହରାଂଚଳରେ ୨୦ଲକ୍ଷ ୩୦ହଜାର ୭୮୫ ପରିବାରକୁ ପିଇବା ପାଣି ଯୋଗାଇ ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହୁଛନ୍ତି । ଯଦି ୨୦୧୧
ଜନଗଣନାକୁ ଦେଖିବା ତେବେ ଓଡିଶାରେ ଅରବାନ ହାଉସ୍‌ ହୋଲ୍ଡ ହେଉଛି ୭୦ଲକ୍ଷ ୩ହଜାର ୬୫୬ । ୨୦୧୩ରେ ରାଜ୍ୟ ସରକାର କହିଥିଲେ ସମସ୍ତଙ୍କ ଘରକୁ ପାଣି ଯୋଗାଇ ଦିଆଯିବ । ଏବେ ରାଜ୍ୟ ସରକାର କହୁଛନ୍ତି ୨୦୨୨ ସୁଦ୍ଧା ସମସ୍ତ ସହରର ସବୁ ଘରକୁ ପାଇପ୍‌ ଯୋଗେ ପାଣି ଦିଆଯିବ । ବାସ୍ତବରେ ୨୦୨୦ ସୁଦ୍ଧା ସମୁଦାୟ ୨୦ଲକ୍ଷ ଲୋକ ପାଣି ପାଇଛନ୍ତି ବାକି ଅଛନ୍ତି ୮୦ଲକ୍ଷ ଲୋକଙ୍କୁ ଟ୍ୟାପ ଯୋଗେ ପାଣି ରାଜ୍ୟ ସରକାର ଯୋଗାଇ ପାରି ନାହାଁନ୍ତି । ସେହପରି ଭାବରେ ରୁରାଲ୍‌ ହାଉସ୍‌ ହୋଲ୍ଡ ହେଉଛନ୍ତି ୮୫ଲକ୍ଷ ୬୬ହଜାର ୫୧୩ । ବର୍ତମାନ ସୁଦ୍ଧା ରାଜ୍ୟ ସରକାର ୨୨ଲକ୍ଷ ୯୪ହଜାର ୮୦୩ ପରିବାରକୁ ପାଣି ଯୋଗାଇଛନ୍ତି । ଅର୍ଥାତ୍‌ ଆହୁରି ୬୨ଲକ୍ଷ ଲୋକ ବାକି ଅଛନ୍ତି । କିପରି ୨୦୨୨ସୁଦ୍ଧା ରାଜ୍ୟ ସରକାର ସମସ୍ତଙ୍କୁ ପାଣି ଯୋଗାଇ ପାରିବେ ବୋଲି ଶ୍ରୀମହାପାତ୍ର ପ୍ରଶ୍ନ କରିଛନ୍ତି ।

ବଜେଟ୍‌ ରେ ଦରମା ଓ ପେନସନ ପାଇଁ ରାଜ୍ୟ ସରକାରଙ୍କୁ ପଇସା ଋଣ କରିବାକୁ ପଡୁଛି । ଆଉ ରାଜ୍ୟସରକାର କେନ୍ଦ୍ରୀୟ ଯୋଜାନାକୁ ନିଜସ୍ୱ ଯୋଜନା କହି ବାହା ବାହା ମାରୁଛନ୍ତି । କେନ୍ଦ୍ର ସରକାରଙ୍କ ଜଳ ଜୀବନ ମିଶନ୍‌ରେ ଓଡିଶା ସରକାରଙ୍କୁ ୨୦୧୯-୨୦ରେ ୩୬୪.୭୪କୋଟି, ୨୦୨୦-୨୧ରେ ୮୧୨କୋଟି ଟଙ୍କାର ଅନୁଦାନ ମିଳିଥିଲା । ଚଳିତ ବର୍ଷ ଓଡିଶାକୁ ୩ହଜାର ୩୨୩କୋଟି ଟଙ୍କା ମିଳିଛି । ୨୨ ଜୁଲାଇ ୨୦୨୧ରେ ବିଜେପି ସାଂସଦ ବସନ୍ତ ପଣ୍ଡାଙ୍କ ପ୍ରଶ୍ନରେ କେନ୍ଦ୍ର ସରକାର କହିଛନ୍ତି ଯେ, ୨୦୧୯-୨୦ରେ ଗ୍ରାମୀଣ ଜଳ ପାଇଁ ୩୬୪.୭୪ କୋଟିରୁ ମାତ୍ର ୨୭୫.୨କୋଟି ଖର୍ଚ୍ଚ ହୋଇଛି । ୨୦୨୦-୨୧ରେ ୮୧୨.୧୫ କୋଟିରୁ ମାତ୍ର ୬୦୯.୧୧କୋଟି ଖର୍ଚ୍ଚ ହୋଇଛି । ଟ୍ୟାପ ଯୋଗେ ଘରେ ଘରେ ବିଶୁଦ୍ଧ ପାଣି ଦେବା ପାଇଁ
କେନ୍ଦ୍ର ସରକାର ବ୍ୟାପକ ଅର୍ଥ ଦେବା ପରେ ବି ମୁଖ୍ୟମନ୍ତ୍ରୀ ଏଠି ମିଥ୍ୟା କହି ଲୋକଙ୍କୁ ଭ୍ରମିତ କରି ଚାଲିଛନ୍ତି । ଚଳିତ ବର୍ଷ କେନ୍ଦ୍ର ସରକାର ଓଡିଶାକୁ ଜଳ ଜୀବନ ମିଶନରେ ୩୩୨୩କୋଟି ଟଙ୍କା ପ୍ରଦାନ କରିଛନ୍ତି । ଗ୍ରାମାଂଚଳରେ ୬୨ ଲକ୍ଷ ଓ ସହରାଂଚଳରେ ୮୦ଲକ୍ଷ ଲୋକ କେବେ ଟ୍ୟାପ ଯୋଗେ ବିଶୁଦ୍ଧ ପାଣି ପାଇବେ ରାଜ୍ୟ ସରକାର ତାହାର ଜବାବ ଦିଅନ୍ତୁ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।
ରାଜ୍ୟ ସରକାର ମିଛ ପ୍ରଚାର ନିଜର ପିଠି ଥାପୁଡାଇ ଓଡିଶାବାସୀଙ୍କୁ ଦିନରେ ଲଣ୍ଠନ ଦେଖାଇବା ବନ୍ଦ କରନ୍ତୁ । ଜଳ ଭଳି ଏକ ଅତ୍ୟାବଶକୀୟ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ମିଥ୍ୟାକୁ ଓଡିଶାବାସୀ କେବେ ବି କ୍ଷମା ଦେବେ ନାହିଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଏହି ଅବସରରେ ରାଜ୍ୟ ମୁଖପାତ୍ର ଶ୍ରୀ ଠାକୁର ରଂଜିତ ଦାସ ଉପସ୍ଥିତ ଥିଲେ ।