ଡିଜିଟାଲ ବ୍ୟକ୍ତିଗତ ତଥ୍ୟ ବା ଡାଟା ସୁରକ୍ଷା DPDP ବିଲ୍‌‌-୨୦୨୩

ସମ୍ମତି ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ମହାମହୀମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଡିଜିଟାଲ ବ୍ୟକ୍ତିଗତ ତଥ୍ୟ ବା ଡାଟା ସୁରକ୍ଷା DPDP ବିଲ୍‌‌-୨୦୨୩ କୁ ସମ୍ମତି ପ୍ରଦାନ କରିଛନ୍ତି । ପୂର୍ବରୁ ଏହା ପାର୍ଲାମେଣ୍ଟର ଉଭୟ ସଭାଦନରେ ଗୃହୀତ ହୋଇଥିଲା । ଗତ ୯ ତାରିଖରେ ଏହା ରାଜ୍ୟସଭାରେ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିବା ବେଳେ ୭ ତାରିଖ ଦିନ ଲୋକସଭାରେ ଏହା ମୌଖିକ ଭୋଟ୍‌‌ରେ ଗୃହୀତ ହୋଇଥିଲା।

ଜନସାଧାରଣ ଲୋକମାନଙ୍କର ନିଜ ସମ୍ବନ୍ଧୀୟ ତଥ୍ୟର ସୁରକ୍ଷା ପାଇଁ ଏଥିରେ ବ୍ୟବସ୍ଥା ରହିଛି । ବିଲ୍‌‌ରେ ଭାରତୀୟ ତଥ୍ୟ ସୁରକ୍ଷା ବୋର୍ଡ ଗଠନ ପାଇଁ ମଧ୍ୟ ବ୍ୟବସ୍ଥା ଅଛି । ପୂର୍ବରୁ ଇଲେକ୍‌‌ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଏହି ଆଇନ ୧୪୦ କୋଟି ଭାରତୀୟଙ୍କ ଡିଜିଟାଲ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ପାଇଁ ଉଦ୍ଦିଷ୍ଟ । ସେ କହିଥିଲେ ପ୍ରାୟ ୯୦ କୋଟି ଭାରତୀୟ ଇଣ୍ଟରନେଟ୍‌‌ ସହ ଜଡ଼ିତ ଓ ଏହି ବିଲ୍‌‌ ସେମାନଙ୍କର ତଥ୍ୟର ସୁରକ୍ଷା କରିବ।